STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ସ୍ମୃତିର ପ୍ରତିବିମ୍ବ

ସ୍ମୃତିର ପ୍ରତିବିମ୍ବ

1 min
154

ତରଙ୍ଗ ବିହୀନ ମନ ଜଳପାତ୍ରେ

ଦେଖାଦିଏ ପ୍ରତି ଥର

ଥର ଥର କରି ହସାଏ କନ୍ଦାଏ

ଚିହ୍ନା ପ୍ରତିବିମ୍ବ ତାର। 


ତାର ଏ ଆସିବା ଭୁଲା ଗୋହିରୀରୁ

ଆଣେ ସୁଖ କେବେ ଦୁଃଖ,

ଦୁଃଖ ସବୁ କିନ୍ତୁ ସାଇତି ରଖି ସେ

ତୁଛାଟାରେ କରେ ଶୋକ। 


ଶୋକ ଯେବେ ଛାତି ଜମାଟ ଫିଟାଇ

ବହିଯାଏ ଛୁଇଁ ଗାଲ,

ଗାଲ ଦୁଇ ସାଜେ ଦୁଇ ନଦୀ ଶଯ୍ୟା

ବହିବାକୁ କୋହ ଧାର। 


ଧାର ଧାର ହୋଇ ଅଶ୍ରୁ ଯେବେ ବହି

ସିକ୍ତ କରେ ତନୁ ମନ,

ମନର ଯେ ବୋଝ ହୋଇଯାଏ ହାଲ୍କା

ସ୍ଵଛ ହୁଏ ବର୍ତ୍ତମାନ। 


ବର୍ତ୍ତମାନ ସିନା ପ୍ରତ୍ୟକ୍ଷ ଜୀବନ

ଅତୀତ ପ୍ରଛନ୍ନ ସାଥି,

ସାଥିଟିଏ ସାଜି ସ୍ମୃତି ଯେବେ ଆସେ

ଦିନ ପରି ଲାଗେ ରାତି। 


ରାତି ପାରିଦିଏ ଶରଧାରେ ଶେଜ

ସ୍ମୃତି ଧରାଦେବ ବୋଲି,

ବୋଲି ବୋଲି ଭାବ ବିଭୋର ସଙ୍ଗୀତ

ଭରିଦିଏ ଯେତେ ଖାଲି। 


ଖାଲି ରହେନାହିଁ ବର୍ତ୍ତମାନ କେବେ

ସ୍ମୃତିର ଆଇନା ବିନା,

ବିନା ଅତୀତରେ ବର୍ତ୍ତମାନ କେବେ

ପାଇଛି କି ତା ଠିକଣା। 


ଠିକଣା ଆଜିର ହଜିଯାଏ ଯେବେ

ଖୋଜାପଡ଼େ ଗତକାଲି,

ଗତକାଲି ତାର ଆଲୋକ ବିସ୍ତାରି

ଦେଖାଏ ଆସନ୍ତା କାଲି। 


କାଲି ଆଜିର ଏ ଲୁଚକାଳି ଖେଳେ

ଜୀବନ ମୁରୁକି ହସେ,

ହସେ ଏ ମୁହୁର୍ତ୍ତ ଭିଜି ଯାଏ ଯେବେ

ଅତୀତର ମଧୁ ରସେ। 


ରସେ ସେ ସ୍ମୃତିର ରସସିକ୍ତ ଧାରା

ଜୀବନକୁ ବହୁ ବାର,

ବାର ବାର ଆସି ଚେତନା ବକ୍ଷରୁ

ପୁର୍ଣ କରେ ଶୁନ୍ୟ ଝର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract