ସ୍ମୃତି
ସ୍ମୃତି
ଅତୀତ କାହାଣୀ ବଖାଣି ବସିଲେ
ସିଏ ହୁଏ ଏକ ସ୍ମୃତି
କେତେ ଯେ ଯନ୍ତ୍ରଣା ହସ ଲୁହ ଭରା
ଭରା ଥାଏ ଅନୁଭୂତି ।
ଜନମ କାଳରୁ ମରଣ ପର୍ଯ୍ୟନ୍ତ
ସ୍ମୃତିରେ ତୋଳେ ସେ ଘର
ଆଖି ଖୋଲି ଦେଲେ ଆଖିର ଆଗରେ
ଥାଏ ସ୍ମୃତିର ସହର ।
ସାହିତ୍ୟ, ଭୂଗୋଳ,ଇତିହାସ ଦେଖ
ପୁରାଣ ପୋଥି କାହାଣୀ
ଆମ ପରିବେଶ ଆମ ଚତୁଃପାର୍ଶ୍ବ
ସ୍ମୃତିର ପୂରା ସେ ଖଣି ।
ଯେଉଁ ଆଡେ ଆଖି ବୁଲାଇବ ତୁମେ
ସେଇଆଡେ ଥିବ ସ୍ମୃତି
ମଶାଣୀ ଜୁଇରେ ଜଳି ଗଲା ପରେ
ହୁଏନା କେବେ ବି ଇତି ।
ସ୍ମୃତିର ବିଲୁପ୍ତ ହୁଏନା କେବେ ସେ
ଉଜ୍ଜଳ ଆଲୋକ ଶିଖା
ପ୍ରତି ହୃଦୟର ଶିହରଣଟିଏ
ଅଦେଖା ରେଖାର ଲେଖା ।
ମାନସ ପଟରେ ଯାହାକୁ ବା ଆଙ୍କ
ହେଇଯିବ ସ୍ମୃତି ସିଏ
ତାଜମହଲ, ଅବା ପିରାମିଡ୍, ଦୁର୍ଗ
ହେଉ ବା ତଟିନୀଟିଏ ।
ଦୂବ ଠାରୁ ଦାରୁ କୀଟ ଠାରୁ ବ୍ରହ୍ମ
ସ୍ମୃତିରେ ରହିଛି ସବୁ
ସ୍ମୃତି ହିଁ ଜୀବନ ସ୍ମୃତି ମନ ପ୍ରାଣ
ଥାଏ ସେ ଯୁଗ ଯୁଗକୁ ।
ସ୍ମୃତି ଭରା ଥାଏ ଅମା ଅନ୍ଧକାରେ
ନାଉରୀ ଭାଇର ଘାଟେ
ସ୍ମୃତି ରହିଥାଏ ନଉକା ସାଥିରେ
ତଟିନୀ ଜଳର ଘାଟେ ।
ସ୍ମୃତି ରହିଥାଏ ପାନ୍ଥଶାଳାରେ
ପ୍ଲାଟଫର୍
ମ ଓ ବସ୍ତିରେ
କେତେ ଲୁକ୍କାୟିତ ଭାସି ଆସେ ସ୍ମୃତି
ନୟନ ଲୋତକ ଧାରେ ।
ସ୍ମୃତି ଥାଏ ଆମ୍ବ ତୋଟା ବରଗଛ
ରଜ ଦୋଳିର ଗୀତରେ
ସ୍ମୃତି ଭରା ଥାଏ କାହା ବାଡି ପିଜୁଳି
ଚଢି ଖାଇବା ଗଛରେ ।
ସ୍ମୃତି ଭରା ଥାଏ ପ୍ରେମିକ ପ୍ରେମିକା
ଲୁଚି ଦେଖା କରିବାଟା
ଭୟ ଖାଇ ଯାଏ ଛାତି ଥରୁଥାଏ
ହେଉଥିବା ହଟାହଟା ।
ସ୍ମୃତି ଭରା ଥାଏ ଖୋଲା ପଡିଆରେ
ନଟେଇ ଦେହର ଗୁଡି
ପବନ ସାଥିରେ କି ସୁନ୍ଦର ଉଡେ
ଛିଣ୍ଡି ତଳେ ଯାଏ ପଡି ।
ସ୍ମୃତି ଭରା ଥାଏ ଅତୀତ ଚିଠିରେ
କେତେ ଖୁସି ଆଣେ ସିଏ
ଯିଏ ଲେଖୁଥାଏ ସିଏ ଜାଣିଥାଏ
ପଢୁଥାଏ ପୁଣି ଯିଏ ।
ସୂର୍ଯ୍ୟ ଚନ୍ଦ୍ର ତାରା ଗୋଧୂଳି ଆକାଶ
ବରଷା ବତାସ ଝଡ
ଘାସ ଗାଲିଚାର କାକର ବିନ୍ଦୁର
ମାଘ ମାସର ସେ ଜାଡ ।
ସ୍ମୃତିକୁ ଲେଖିବା ସହଜ ନୁହେଁ ସେ
ଅଟେ ସେ ମହାନ୍ ଗାଥା
ସେ ସ୍ମୃତି ପାଖରେ ହଜି ଯାଏ ମନ
ନଇଁ ଯାଏ ମୋର ମଥା ।
ଯେତେ ଲେଖୁଥିଲେ ସରିବନି ସ୍ମୃତି
ଅଗାଧ ସମୁଦ୍ର ଇଏ
କଣବା ଲେଖିବି କି ଅବା ଲେଖିବି
ମାମୁଲି ମୁରୁଖ ଟିଏ ।
ଯାହାବି ଅତୀତ ହେଇ ଯାଇଅଛି
ତାହାବି ତ ଏକ ସ୍ମୃତି
ଏଇ ସ୍ମୃତି ଏକ ଅଭୂଲା ଅଫେରା
ହୁଏ ନା କେବେ ସେ ଇତି ।