ସ୍ମୃତି
ସ୍ମୃତି
ସ୍ମୃତି ଆଇନାରେ ଥରେ ହଜିଗଲେ
ମନେ ଉଡେ ପ୍ରଜାପତି
ଯେତେ ଭାବିଲେ ବି ଭାବନା ସରେନି
ବିତି ଯାଏ ଦିନରାତି ।
ସ୍ମରଣ ମାତ୍ରକେ ହୃଦୟରେ ପଡେ
କଅଁଳ ଖରାର ତାତି
ସ୍ମୃତିର ନ ଥାଏ ନିର୍ଦ୍ଧିଷ୍ଟ ଠିକଣା
ଅଙ୍କାବଙ୍କା ତାର ଗତି ।
ସ୍ମୃତିର ସାଗରେ ବୁଡିଗଲେ ଥରେ
ମନେପଡେ ପ୍ରିୟାଛାତି
ମନ କହୁଥାଏ ଉଡି ବୁଲିବାକୁ
ଦେଖି ତୋଫା ଜହ୍ନରାତି ।
ସ୍ମୃତିରେ ହୃଦୟ ଉଡେ ଆକାଶରେ
ବାଟବଣା ହୁଏ ମତି
ନ ଥାଏ ଛଳନା ଏହାର ନିଦ୍ରାରେ
ବଦଳି ଯାଏ ବି ସ୍ଥିତି ।
ସ୍ମୃତି ଫୁଲବନେ ମନର ମଇନା
ହୃଦୟେ ତୋଳେ ପୀରତି
ଛୁଇଁ ଦେଉଥାଏ ପ୍ରେମିକା ମନକୁ
ଲିଭାଇ ବିରହ ତାତି ।