ସ୍ମୃତି ସୁନ୍ଦରୀ
ସ୍ମୃତି ସୁନ୍ଦରୀ
ସକାଳୁ ସକାଳୁ ତୁମ ମୁହଁ ଚାହିଁ
ଅନୁକୂଳେ ଯେବେ ଯାଏ ।
ଫଗୁଣ ନ ଥାଇ ମଧୁର ମଳୟ
ମୋ' ମନକୁ ଛୁଇଁଯାଏ ।
ସତେଜ ସୁନ୍ଦର ଫୁଲପାଖୁଡ଼ାରେ
ତୁମରି ସୁରଭି ଖୋଜେ ।
ଖୋଜିବାକୁ ମୋତେ ଜମା ପଡେନାହିଁ
ତୁମ ଚାହାଣିରେ ହଜେ ।
ବ୍ରାହ୍ମମୁହୂର୍ତ୍ତର ବର୍ଣ୍ଣାଢ୍ୟ ବେଳାରେ
ତୁମ ନାମ ଯେବେ କଳ୍ପେ ।
ଲକ୍ଷେ କଳ୍ପଦ୍ରୁମ ଆଙ୍କି ହୋଇଯା'ନ୍ତି
ଅଭାବନୀୟ ସଂକଳ୍ପେ ।
ଋତୁରେ ଋତୁରେ ତୁମ ପାଇଁ ଯେବେ
ଖୋଜେ ପ୍ରୀତିର ପାଖୁଡା ।
ତୁମରି ଓଠର ନିରିମଳ ହସେ
ଭଙ୍ଗାମନ ହୁଏ ଗଢ଼ା ।
ବହଳ ବହଳ ବତାସରେ ଯେବେ
ମୋ' ଘର ଅଗଣା ଥରେ ।
ତୁମରି ହାତର ନରମ ପରଶେ
ବଉଳର ବାସ୍ନା ଝରେ ।
ବୈଶାଖରେ ଯେବେ ଦାରୁଣ ନିଦାଘ
ହା-ହୁତାଶ କରି ମାରେ ।
ମନ-ଆଇନାରେ ତୁମ ମୁହଁ ଭାସେ
ହଜେ ତୁମ କଳ୍ପନାରେ ।
କହି କି ପାରିବ କେଉଁ ଉପାଦାନେ
ତୁମରି ଏ ମନ ଗଢ଼ା ।
ସୂକ୍ଷ୍ମ ସୂକ୍ଷ୍ମ ତା'ର ନିରିମାଖି ତନ୍ତୁ
ସତେ କି ସଦା ସଜଡ଼ା ।
ତୁମରି ଆଖିର ବିନ୍ଦୁଏ ଲୁହର
ମୂଲ୍ୟ ଏ ସଂସାରେ ନାହିଁ ।
ନିଷ୍ଠୁର ଦୁନିଆ ବୁଝି କି ପାରିବ
ତା' ପାଖେ ସେ ମନ କାହିଁ ।
କେତେବେଳେ ତୁମେ ସାଧବବୋହୂ ତ
କେବେ ମୋ' କାବ୍ୟମାନସୀ
କେବେ ପୁଣି ତୁମେ ଜହ୍ନ ଜୋଛନାର
ପୁଣ୍ୟତୋୟା ,ପୂର୍ଣ୍ଣମାସୀ ।
ଭସାବଉଦକୁ ଖସେଇ ଆଣି ମୁଁ
ତୁମରି ହାତରେ ଦେବି
ତୁମ ସପନରେ ତୁମକୁ ସଜାଇ
ସ୍ମୃତିସୁନ୍ଦରୀ କରିବି ।
ଏଇମିତି ତୁମେ ହସି ଚାଲିଥିବ
ମୁଁ ତୁମକୁ ଦେଖୁଥିବି
ସ୍ମୃତିସୁନ୍ଦରୀ ଗୋ ତୁମରି ସ୍ମୃତିରେ
ତୁମକୁ ହିଁ ଆଙ୍କୁଥିବି ।