ସ୍ମୃତି ଫୁଲ
ସ୍ମୃତି ଫୁଲ
ସ୍ମୃତିର ଫୁଲ ଟା ଫୁଟିଥିଲା ଆଜି
ଏ ହୃଦୟ ଅଗଣାରେ,
କେତେ ହସ ଲୁହ ଭରି ଆଣିଥିଲା
ସେ ତା ପାଖୁଡ଼ା ଭିତରେ ।
ଗୋଟି ଗୋଟି କରି ପାଖୁଡ଼ା ଖୋଲିଲା
ହସୁଥିଲା କାନ୍ଦୁଥିଲା,
ପିଲା ବେଳର ଅଭୁଲା ଅତୀତକୁ
ସାଥେ ନେଇ ଆସିଥିଲା ।
ମାଟି ସିଲଟ ମାଟି ଖଡ଼ିର ଗାର
ସାଥେ ଚିରା ରଫ୍ ଖାତା,
ବର୍ଷାରେ ପ୍ୟାଣ୍ଟ୍ ପଛରେ ଟିପି ଟିପି
ପାଣି କାଦୁଅର ଛିଟା ।
ସେ ଝିପି ଝିପି ବର୍ଷାରେ ଗାଁ ଦାଣ୍ଡରେ
କାଗଜର ଡଙ୍ଗା ଭସା,
ଫୁଙ୍ଗୁଳା ଦେହରେ ଧୁଳି ଧୂସରରେ
ଖେଳ କାଦୁର ସେ କଥା ।
ଧୁମ୍ ଖରାବେଳେ ପାହାଡ଼ ଉପରେ
ଆମ୍ବ ଖାଇବାର ମଜା,
ବୋଉର ଆଦର ଭାଇ ଠାରୁ ମାଡ
ବାପାଙ୍କ ହାତରୁ ସଜା ।
ଏମିତି କେତେ ସେ ପାଖୁଡ଼ା ଖୋଲିଲା
ସବୁ ବିଞ୍ଚି ଦେଇ ଗଲା,
ପିଲା ଦିନର ସେ ଅତୀତ କୁ ଦେଖି
ମନ ହସିଲା କାନ୍ଦିଲା ।
କିଛି ସମୟ ପାଇଁ ସ୍ମୃତିର ଫୁଲ
ଏ ହୃଦୟେ ଫୁଟିଥିଲା,
କେଜାଣି କାହିଁକି ଧିରେ ଧିରେ ପୁଣି
ଝାଉଁଳି ବାକୁ ଲାଗିଲା ।
ସୁଖ ଦେଇ ଗଲା ଦୁଃଖ ଦେଇ ଗଲା
ପାଖୁଡ଼ା ଭିତରୁ ଖୋଲି,
ଝାଉଁଳିଲା ବେଳେ କିଛି କହିଗଲା
ମନ ଦୁଃଖ ହେଲା ଭାରି ।
ମାଳି ଟିଏ ସାଜି ତାକୁ ଦେଖୁଥିଲି
ହୃଦୟ ଝରକା ଖୋଲି,
ଝାଉଁଳା ସ୍ମୃତିକୁ ଆଉ କି ତୋଳିବି
ଝରକା ମୁଁ ବନ୍ଦ କଲି ।