ସ୍ମୃତି ପାଖୁଡା
ସ୍ମୃତି ପାଖୁଡା
ଉପଦେଶ ପ୍ରବଣତା ମାଆଙ୍କ ଅଭ୍ୟାସ ।
ଆକଟି ଅଲିଅଳୀ କନ୍ୟା ରତ୍ନଟିକୁ
କହୁଥିଲେ ମା-
ଝିଅ ମୋର କେଡ଼େ ବ୍ୟସ୍ତ !
ମନ ଦେଇ ପଢୁଅଛି ପାଠ,
ସୁନାନାକୀ ମାଆ ମୋର
ଶୁଣିବୁ ତ କହିବି ବିହିତ ।
ପଢ଼ିଗଲେ ବେଶୀ ପାଠ
ଜାଣିବୁ ବହୁତ କଥା,କିନ୍ତୁ
ଖାଲି ପାଠେ ପୂରେ ନାହିଁ ପେଟ
ବାଣ୍ଟି ଶିଖ ମୋ ସହ ଦୁଃଖ;
ରନ୍ଧାବଢ଼ା ମଧ୍ୟ ଏକ ଆବଶ୍ୟକ କଳା,
ଆୟତ୍ତ ତା ସହଜ ଅବଶ୍ୟ।
ଶିଖିନେ ମା କେମିତି ବାଛିବୁ,
ଧୋଇଧାଇ ଯତନେ କାଟିବୁ
ହାଣ୍ଡି ତକ ଭାତକୁ ନ ଚିପି
ଗୋଟିକୁ ପରଖି ନେଇ ଗରମକୁ
ପ୍ରତିରୋଧି ପେଜ ନିଗାଡିବୁ ।
ରାନ୍ଧିବାଢି ନିଜେ
ଖାଇ ପରସିବା ଅଟେ ପାକକଳା,
ସ୍ୱୟଂସିଦ୍ଧା ଯେଣୁ ନାରୀ
ଅଟେ ଅନ୍ନପୂର୍ଣ୍ଣା ।
ସୁନାନାକୀ ଝିଅଟିଏ ହୋଇଥାଏ
ସୋହାଗିନୀ ବୋହୁ,
ଶକ୍ତିମୟୀ ନାରୀ ଯୋଗୁଁ ପରିବାରେ
ବଢେ ଶ୍ରଦ୍ଧାସ୍ନେହ,
ଆହ୍ଲାଦିନୀ ନାରାୟଣୀ ନାରୀ
ଆନନ୍ଦର ଅଫୁରନ୍ତ ଉତ୍ସ ସିଏ
ପୂଜ୍ୟା ଏଣୁ ଅତୂଲ୍ୟା ଓ ଅନନ୍ୟା ।
ମାଆ କଥା ଅନୁଭବ ସିଦ୍ଧ ଓ ବାସ୍ତବ
ଅଜ୍ଞ ନୁହେଁ ମାଆ,
ନୁହେଁ ମିଥ୍ୟା ଅର୍ଥବଳ
ଗୁଣ ପଣ ଆଚାର ବିଚାର ବୋଧେ
ଚିହ୍ନେ ଖାଣ୍ଟି ସୁନା ।
ପାଣି ନୁହେଁ ମାଆ କଥା ପଥରରେ ଗାର,
ମୋ ଜୀବନେ ସେ କଷଟୀ
ଆଶିଷେ ତା ଭବିଷ୍ୟ ଉଜ୍ଜ୍ୱଳ,
ଆସୁ ଯେତେ ଝଡ଼ ଝଞ୍ଜା
ଦେଉଛି କଥା ଗୋ ମାଆ
ଚିନ୍ତା କର ଦୂର
ରନ୍ଧାବଢ଼ା ଶିଖିବି ଏଥର ।