ସ୍ମୃତି ମୋ ସାଇତା ହୃଦ କନ୍ଦରେ
ସ୍ମୃତି ମୋ ସାଇତା ହୃଦ କନ୍ଦରେ
ପରମ ସୌଭାଗ୍ୟ ଗୌରବ ମଣିବ
ଜନକ, ଜନନୀ ଅଛନ୍ତି ଯା'ରେ ,
ମୁଁ ତ ଅଭାଗିନୀ ହରାଇଛି ବେନି
ମୋ ମାତା ,ପିତା ଙ୍କୁ ଏ' ଜୀବନରେ ।
ସ୍ନେହ ବୋଳା କଥା ପାଇବା ଆଶାରେ
ସାଙ୍ଗ ସାଥି ମେଳେ ଭୁଲାଏ ମନ,
ତଥାପି କାହିଁକି ସେହି ଶୂନ୍ୟ ସ୍ଥାନ
ଖାଲି ପଡିଅଛି ସେହି ଆସନ ।
କା'ର ମାତା, ପିତା କବିତା ପଢ଼ିଲେ
ବୋଲ ମାନେ ନାହିଁ ମୋ ଆଖି ଜଳ,
ମାତା , ପିତା ସ୍ମୃତି ସାଉଁଟି ରଖିବା
ସଂସାରରେ ଏହା ଅଟେ ବିରଳ।
ଦେବା ଦେବୀ ଠାରୁ ତାଙ୍କ ଆଶୀର୍ବାଦ
ଜୀବନରେ ଅଟେ ଅମୂଲ ମୂଲ ,
ଏ ଜନ୍ମରେ ନାହିଁ ମୋ କପାଳେ ସେହି
ଯେତେ ଚାହିଁଲେ ବି ତାଙ୍କରି ଗେଲ ।
ହରେଇଥିବ ଯେ ନିଜ ପିତା ମାତା
ସେ ବୁଝି ପାରିବ ମୋହରି ଦୁଃଖ ,
ପ୍ରଭୁ ପଦେ ଅଳି ସବୁ ଦୁହିତା'ଙ୍କୁ
ପ୍ରାପ୍ତ ହେଉ ସଦା ସର୍ବଦା ସୁଖ ।
କାଲି ଫେରିଯିବି ଏ ଜନ୍ମ ମାଟିରୁ
ଏହି ଶୂନ୍ୟସ୍ଥାନ ହୃଦୟେ ନେଇ,
ସେହି ସ୍ନେହ ଶ୍ରଦ୍ଧା ଖୋଜି ପାଉନାହିଁ
ଖୋଜିବୁଲେ ଆଜି ନିଜକୁ ମୁହିଁ ।
ଧନ୍ୟ ସେ ଦୁହିତା ଧନ୍ୟ ମାତା, ପିତା
ଯା ଲାଗି ଗର୍ବରେ ଫାଟଇ ଛାତି ,
ମାତା, ପିତା ପରା ଦୁହିତା'ର ଶକ୍ତି
ଯା ଭାଗ୍ୟେ ମିଳଇ ସେ ଭାଗ୍ୟବତୀ।
ମାୟା, ମୋହ ତେଜି ଦୂରେ ଗଲେ ଚାଲି
ଖାଲି ସ୍ମୃତି ଅଛି ହୃଦୟେ ମୋର ,
ଗର୍ବିତ ଆଜି ମୁଁ ତାଙ୍କଠୁଁ ଉଦ୍ଭବ
ଶ୍ରୀଚରଣେ କରେ କୋଟି ଜୁହାର ।
ସ୍ମୁତି ମୋ ସାଇତା ହୃଦୟ କନ୍ଦରେ
ପିଣ୍ଡରେ ମୋ ପ୍ରାଣ ରହିବା ଯାଏଁ,
ପୃଷ୍ଠା ଓଲଟେଇ ଦେଖୁଥିବି ଖାଲି
ଶେଷ ଜୁଇ କାଠ ଜଳିବା ଯାଏଁ ।