ସ୍ମୃତି ଏକ ଅଭୁଲା ରାତିର
ସ୍ମୃତି ଏକ ଅଭୁଲା ରାତିର
ପିଲାଦିନେ ଥରେ ଖୋଲି ଦେଇଥିଲା ଆଈ ମାଆ ଗପ ମୁଣି
ପରୀରାଇଜର ରାଜାରାଣୀ ସାଥେ ଭୂତମାନଙ୍କ କାହାଣୀ
ରାତିରେ ଆଖିରୁ ହଜିଗଲା ନିଦ ଦେଖାଯାଏ ଭୂତ ଛବି
ଧଳା ଶାଢ଼ୀ ପିନ୍ଧା ମୁକୁଳା କେଶକୁ ଲମ୍ବା ହାତ ଗୋଡ଼ ଭାବି
ଲାଗିଲା ଯେମିତି ଭୂତ ଆସି ମୋର ମୁଣ୍ଡ ପାଶେ ବସିଗଲା
ବୁଦ୍ଧି ଗଲା ହଜି ପିଳେହି ମୋ ପାଣି, ତଣ୍ଟି ଅଠା ଅଠା ହେଲା
ଚାଦର ଭିତରେ ଭିଡିମୋଡି ହୋଇ ଥରୁଥିଲା ମୋର ଦେହ
ବିକଳେ କାନ୍ଦିଲି ମାଆ ମାଆ ଡାକି ଆଖିକୁ ଆସିଲା ଲୁହ
କିସ ହେଲା ବୋଲି ଚମକି ଉଠି ମା ଦେଲେ ମୋ ମଥା ଆଉଁସି
କହ କହ ଧନ କାହିଁକି କାନ୍ଦୁଛୁ କି ହେଲା କହ ଭରସି
ଭୁତର କଥାକୁ ତାଙ୍କ ଆଗେ କହି କାନ୍ଦିଲି ମୁଁ କଇଁ କଇଁ
ମାଆ ହସିଦେଇ ପିଠି ଥାପୁଡ଼େଇ କହିଲେ ହେଲୁ କି ବାଇ
ଭୂତଫୁତ କିଛି ନାହିଁ ସଂସାରରେ ଏ କଥା ନିରାଟ ସତ
ଜଗନ୍ନାଥଙ୍କର ଚଉବାହା ସାହା ଜଗତରେ ଏହା ଖ୍ୟାତ
ଅଭୟ ଦେବାକୁ କାଳିଆ ସାଆନ୍ତ ସଭିଙ୍କ ସାଥିରେ ଠିଆ
ସେ ଯେବେ ଅଛନ୍ତି ତୋହର ନିକଟେ ଡ଼ରିବୁ କାହାକୁ କିଆଁ