STORYMIRROR

padmaja pati

Classics

3  

padmaja pati

Classics

ସ୍ମୃତି ଏକ ଅଭୁଲା ରାତିର

ସ୍ମୃତି ଏକ ଅଭୁଲା ରାତିର

1 min
223

ପିଲାଦିନେ ଥରେ ଖୋଲି ଦେଇଥିଲା ଆଈ ମାଆ ଗପ ମୁଣି

ପରୀରାଇଜର ରାଜାରାଣୀ ସାଥେ ଭୂତମାନଙ୍କ କାହାଣୀ


ରାତିରେ ଆଖିରୁ ହଜିଗଲା ନିଦ ଦେଖାଯାଏ ଭୂତ ଛବି

ଧଳା ଶାଢ଼ୀ ପିନ୍ଧା ମୁକୁଳା କେଶକୁ ଲମ୍ବା ହାତ ଗୋଡ଼ ଭାବି


ଲାଗିଲା ଯେମିତି ଭୂତ ଆସି ମୋର ମୁଣ୍ଡ ପାଶେ ବସିଗଲା

ବୁଦ୍ଧି ଗଲା ହଜି ପିଳେହି ମୋ ପାଣି, ତଣ୍ଟି ଅଠା ଅଠା ହେଲା


ଚାଦର ଭିତରେ ଭିଡିମୋଡି ହୋଇ ଥରୁଥିଲା ମୋର ଦେହ

ବିକଳେ କାନ୍ଦିଲି ମାଆ ମାଆ ଡାକି ଆଖିକୁ ଆସିଲା ଲୁହ


କିସ ହେଲା ବୋଲି ଚମକି ଉଠି ମା ଦେଲେ ମୋ ମଥା ଆଉଁସି

କହ କହ ଧନ କାହିଁକି କାନ୍ଦୁଛୁ କି ହେଲା କହ ଭରସି


ଭୁତର କଥାକୁ ତାଙ୍କ ଆଗେ କହି କାନ୍ଦିଲି ମୁଁ କଇଁ କଇଁ

ମାଆ ହସିଦେଇ ପିଠି ଥାପୁଡ଼େଇ କହିଲେ ହେଲୁ କି ବାଇ


ଭୂତଫୁତ କିଛି ନାହିଁ ସଂସାରରେ ଏ କଥା ନିରାଟ ସତ

ଜଗନ୍ନାଥଙ୍କର ଚଉବାହା ସାହା ଜଗତରେ ଏହା ଖ୍ୟାତ


ଅଭୟ ଦେବାକୁ କାଳିଆ ସାଆନ୍ତ ସଭିଙ୍କ ସାଥିରେ ଠିଆ

ସେ ଯେବେ ଅଛନ୍ତି ତୋହର ନିକଟେ ଡ଼ରିବୁ କାହାକୁ କିଆଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics