ସ୍ମୃତି ଚିହ୍ନ
ସ୍ମୃତି ଚିହ୍ନ
ସ୍ମୃତି ମଲା ଜହ୍ନ ଦେଖେ ମୁଇଁ ସ୍ବପ୍ନ
ଆନ୍ଦୋଳିତ ତନୁ ମନ
ଅଭୁଲା ଅତୀତ ମନେ ଆସେ ସେତ
ଖେଳି ଦେହେ ଶିହରଣ ll
ଦେଖି ଦେହେ ଦାଗ ପିଲାବେଳ ଖେଳ
ସାଙ୍ଗସାଥି ହସ ଖୁସି
ନଦୀ ନାଳେ ବୁଡ଼ା ବୁଲା ଆମ୍ବ ତୋଟା
ଭୋଜି କରୁ ମିଳିମିଶି ll
ହେତୁହେଲା ପରେ ଅଜଣା ପ୍ରେମରେ
ଶିକ୍ଷା ଦେଲା ପ୍ରତାରଣା
ସମୟ ସ୍ରୋତରେ ଜୀବନ ହାଟରେ
ବୁଦ୍ଧି ହୋଇଗଲା ବଣା ll
ଅତୀବ ନିଜର ଲାଗେ ଆପଣାର
ହସ ଭାଷା କି ମଧୁର
ଶୟନେ ସପନେ ଅବା ଜାଗରଣେ
ଭାସିଆସେ ମୁଖ ତାର ll
ପ୍ରେମ ଅଭିମାନ ହୃଦେ ବଢେ ସ୍ଥାନ
ଅହମିକା ଥିଲା ମୋର
ହେଲା ସେ କାହାର ମନ ମୋ ଅସ୍ଥିର
ରହିଲା ପ୍ରେମ ସ୍ମୃତିର ll
ଏଠି ନିଜ ଲୋକ ହୁଏ ସାତପର
କାହାକୁ ନାହିଁ ବିଶ୍ୱାସ
କର୍ମ ଏକା ତୋର ସାଥି ସହଚର
ବିଶ୍ୱାସେ ନାହିଁ ପ୍ରଶ୍ୱାସ ll
