ସ୍ମୃତି ଭିଜା ସନ୍ଧ୍ୟାରେ
ସ୍ମୃତି ଭିଜା ସନ୍ଧ୍ୟାରେ
ମନେ ପଡିଗଲା ତୁମ ଚିହ୍ନା ଚେହେରା
ସ୍ମୃତି ଭିଜା ଏକ ସନ୍ଧ୍ୟାରେ
ଭିଜୁଥିଲେ ଦୁହେଁ ଏକାକୀ ରାସ୍ତାରେ
ଝିପି ଝିପି ବରଷାରେ ।
କଳା ମେଘୁଆ ଆକାଶର ଦିଗବଳୟରେ
ଛୋଟ କପୋତ କପୋତୀ ଭଳି
ଘୁରି ବୁଲୁଥିଲେ ଆନନ୍ଦ ଉଲ୍ଲାସେ
କେତେ ସୁନେଲି ସପନ ବୁଣି ।
ବର୍ଷା ଛିଟାରେ ଦେହ ଭିଜୁଥିଲା
ମନରେ ଉଷ୍ମତା ତୀବ୍ର କରି
ଅନ୍ଧାର ରାତିରେ ଉଜାଗର ଜହ୍ନ
ଚାହୁଁଥିଲା କଣେଇ କଣେଇ ।
ପାଖା ପାଖି ଥିଲେ ବହୁ ନିକଟତର
ତଥାପି ପାଟି ଥିଲା ଚୁପ୍ ଚାପ୍
ପାଦର ତାଳରେ ବର୍ଷାପାଣି ସୁଅ ଧାର
ଶୁଭୁଥିଲା ଶବ୍ଦ ଟପ୍ ଟପ୍ ।
ସମୟ ତାଳରେ ସମୟ ବିତିଲା
ପାଖେଇ ଆସୁଥିଲା ଘର
ଆଖ ପାଖ ଭିଡ଼ ଭିତରେ ସତେ
ଘୁରି ବୁଲୁଥିଲା କେତେ ନଜର ।
ସବୁ ନଜରରୁ ନଜର ହଟେଇ
ଆଖି ଖୋଜୁଥିଲା ତୁମକୁ
ପ୍ରେମ ବନ୍ଧନରେ ବାନ୍ଧି ହୋଇ ସାଥୀ
ଭୁଲି ଥିଲେ ନିଜେ ନିଜକୁ ।
ସବୁ ସ୍ମୃତି ଆଜି ଆଖି ପଲକରେ
ଆସେ କାକର ସନ୍ଧ୍ୟାରେ
ତୁମେ ନାହଁ ପାଖେ ବହୁଦୂରେ ଅଛ
ତଥାପି ମନ ଆଜି ବି ତୁମକୁ ଝୁରେ ।

