ସ୍ମୃତି ଆଇନାରେ
ସ୍ମୃତି ଆଇନାରେ
ସ୍ମୃତି ଆଇନାରେ ପ୍ରତିଛବି ଭାସେ
ଉଜ୍ଜୀବିତ ହୋଇ ଆଜି ;
ଆହେ ପ୍ରାଣପ୍ରିୟ କାହିଁ ଗଲ କୁହ
ଆଉକି ପାଇବି ଖୋଜି !!
ସ୍ମୃତି ଫରଦରେ ଅଲିଭା ଅକ୍ଷରେ
ଲେଖାଅଛି ତୁମ ନାଆଁ ;
ଝୁରିବାଟା ସାର ମୋର ଅଭିସାର
ମନେ ପଡେ ପ୍ରୀତି ଛୁଆଁ !!
ଦୂର ବିଦେଶରେ ଥିଲ ହେ ଖୁସିରେ
କର୍ମେ ଆଗଭର ହୋଇ ;
କରୋନା ରାକ୍ଷସ କଲା ସର୍ବନାଶ
ତୁମକୁ ନେଲା ଛଡାଇ. !!
ଦୁର୍ବିସହ ମୋର ଅସହାୟ ଜୀବନ
ଆଖିରୁ ସୁଖୁନି ଲୁହ.;
ବୈଧବ୍ୟ ବେଦନା ଦଉଛି ଯାତନା
ହୃଦୟେ ଭରିଛି କୋହା !!
କୁନା ମୁନି ନିତି ମୋତେ ପଚାରନ୍ତି
ବାପା କାହିଁ ଗଲେ ମାମା ;
କି ଉତ୍ତର ଦେବି ତୁମେ କୁହ ଆଜି
କେ କରିବ ମୋତେ କ୍ଷମା !!
ବଞ୍ଚିବା ମରିବା ମୋ ପାଇଁ ସମାନ
ଜୀବନଟା ଲାଗେ ତୁଚ୍ଛ.;
କେମିତି ବଞ୍ଚିବି ଏକାଏକା ସାଥୀ
ଦୁନିଆଁଟା ଲାଗେ ମିଛ.!!
ହୀନିମାନ ହୋଇ ନିଇତି କାନ୍ଦୁଛି
ଅଧାବାଟେ ଛାଡିଗଲ ;
କୁହ ପ୍ରାଣପ୍ରିୟ କେ' ପୋଛିବ ଲୁହ
ଜୀବନ୍ତ ମରଣ ଦେଲ. !!
ସ୍ମୃତି ଚିତ୍ର ସବୁ ଭାସିଉଠେ ବାବୁ
ଆଉ କି ଆସିବ ଫେରି ;
ସେଇ ସୁଖ ଦିନ. ଅଭୁଲା ସ୍ମରଣ
କଲା କିଏ ଜାଣି ଚୋରି !!
ସ୍ମୃତି ଚିତ୍ର ଦେଖି କହିଁକି ବଞ୍ଚିବି
ତୁମେ କୁହ ପ୍ରାଣନାଥ.;
ନେଇଯାଅ ମୋତେ ଯିବି ତୁମପାଶେ
ହଉଛି ମୁଁ ହତସନ୍ତ. !!
ହାୟରେ ବିଧାତା କଲୁତୁ ହିନସ୍ତା
ସ୍ମୃତିକୁ ଝୁରୁଛି ଖାଲି ;
ନେଇଯାଆ.ମୋତେ ମୋ ପ୍ରିୟପାଶେ
କହୁଛି ହୃଦୟ ଖୋଲି !!
