ସମର୍ପିତା ସୌଭାଗିନୀ
ସମର୍ପିତା ସୌଭାଗିନୀ
ସିମନ୍ତେ ସିନ୍ଦୂର ଦିଶଇ ସୁନ୍ଦର
ସତେକି ସାଧବ ବୋହୂ
ଚୁପି ଚୁପି କୁହେ ପ୍ରିୟ ମନ ମୋହେ
କଥା କୋଇଲିର କୁହୁ ।(୧)
ପାଉଁଜି ଝଙ୍କାର ତୋଳେ ସାତସୁର
ରୁମ ଝୁମ ଚୁଡି ବାଜେ
ଓଢଣା ଫାଙ୍କରେ ବଧୁଲି ଓଠରେ
ଅଳପ ହସଇ ଲାଜେ ।(୨)
ପତି ଦୁଃଖେ ଦୁଃଖୀ, ପତି ସୁଖେ ସୁଖୀ
ପତି ବିନା ଗତି ନାହିଁ
ଟୋପାଏ ସିନ୍ଦୂର, ଦି'ପଟ ସଙ୍ଖାର
ବନ୍ଧନେ ବାନ୍ଧିଛି ବିହି ।(୩)
କେବେ ସାଜେ ବଧୂ, କେବେ ପୁଣି ବନ୍ଧୁ
କେବେ ସେ ସାଜେ ମାନସୀ
ବାର ଓଷା ବ୍ରତ କରେ ହୋଇ ପ୍ରୀତ
ପତିଙ୍କ ଶୁଭ ମନାସି ।(୪)
ତ୍ୟାଗର ପ୍ରତିମା ଅଟଇ ସେ ବାମା
ଭୁଲେ ନିଜ ହସ ,ଖୁସି
ଲିଭେ ଜଳି ଜଳି, ସତେ କି ଦୀପାଳି
ଅମା ଅନ୍ଧାର ବିନାଶି ।(୫)
ପତି ସୋହାଗିନୀ, ସେ ସହ ଗାମିନୀ
ପ୍ରେମର ସେ ପୂଜାରିଣୀ
ପୀରତି ରାଗିଣୀ, ଜୀବନ ସଙ୍ଗିନୀ
ଅଟଇ ସେ ଅର୍ଦ୍ଧାଙ୍ଗିନୀ (୬)
ଶଙ୍ଖା, ସିନ୍ଦୁର କୁ ସର୍ବସ୍ବ ତା ମାନେ
ସୁକୁମାରି, ସୁଲକ୍ଷଣି
ପତି ପାଶେ ସଦା ସମର୍ପିତା ସେ ଯେ
ନାମଟି ତା 'ସୌଭାଗିନୀ' । ( ୭)