ସମ୍ପର୍କର ସାକ୍ଷୀ ରାକ୍ଷୀ
ସମ୍ପର୍କର ସାକ୍ଷୀ ରାକ୍ଷୀ
ଅନା ଲୋ ସଜନୀ ଅନା
ରାକ୍ଷୀ ପୁନେଇଁରେ କାଳିଆ କାହ୍ନା ଯେ
ରାଖୀ ପିନ୍ଧି ମନ କିଣେ ସିନା, ସଜନୀ ଗୋ ।
ନାଲି ହଳଦିଆ ପାଟେ
ରାଖୀ ବନାଇଛି ସୁଭଦ୍ରା ହାତେ ଯେ
ଭାଇ ହାତେ ବାନ୍ଧି ଦେବ ପ୍ରିତେ, ସଜନୀ ଗୋ ।
ନୀଳ ବାଇଗଣୀ ରଙ୍ଗେ
ବଡ ଭାଇ ହସ୍ତେ ବାନ୍ଧିବେ ଆଗେ ସେ
ଜନ୍ମ ଦିନର ଶୁଭେଚ୍ଛା ସଙ୍ଗେ, ସଜନୀ ଗୋ ।
ଶ୍ରାବଣ ପୁର୍ଣ୍ଣିମା ବାର
ଭୋଗ ହେଉଥାଏ ଲଗ୍ନ ମକର ଯେ
ଜନ୍ମି ଥିଲେ ରୋହିଣୀ କୁମର, ସଜନୀ ଗୋ ।
ପାଳିବାକୁ ଜନ୍ମ ଦିନ
ସାରା ଦେଶେ ହୁଏ ରକ୍ଷା ବନ୍ଧନ ଯେ
ଭଗ୍ନୀ ରାଖୀ ବାନ୍ଧି ମାଗେ ମାନ, ସଜନୀ ଗୋ ।
ବିପଦ ଆପଦ ବେଳେ
ଭାତୃ ସାହା ହୋନ୍ତି ଜୀବନ କାଳେ ଯେ
ଦୀର୍ଘ କାମନା କରି ମନରେ, ସଜନୀ ଗୋ ।
ପବିତ୍ର ବନ୍ଧନ ପେଡି
ଖୋଲି ସୁଖ ଭାଇ ଦିଏ ଅଜାଡି ଯେ
ଦୁଃଖ ଦୁର୍ଦ୍ଦଶା ଦିଅନ୍ତି ଫେଡ଼ି, ସଜନୀ ଗୋ ।
ମାନବୀୟ ଲୀଳା ଦେଖ
ମନ୍ଦିରେ ହୁଅନ୍ତି ପଙ୍କଜମୁଖ ଯେ
ଫେଡ଼ି ଭଉଣୀ ସୁଭଦ୍ରା ଦୁଃଖ, ସଜନୀ ଗୋ ।
ଭଉଣୀକୁ ରଖି ପାଶେ
ଲକ୍ଷ୍ମୀଙ୍କୁ ଦୁରେଇ ଦେଲେ ହରଷେ ଯେ
ସେଇ ସମ୍ପର୍କ ଦୁନିଆଁ ଦେଖେ, ସଜନୀ ଗୋ ।
ଅପୂର୍ବ ଏହାର ଶୋଭା
ଶ୍ରୀ ମନ୍ଦିରେ ଭଗ୍ନୀ ଭାଇଙ୍କ ସେବା ଯେ
କୋଟି ପୁଣ୍ୟ ଦର୍ଶନରେ ଅବା, ସଜନୀ ଗୋ ।
