STORYMIRROR

Lokanath Rath

Inspirational

3  

Lokanath Rath

Inspirational

ସମ୍ପର୍କର ନଦୀତୀରେ

ସମ୍ପର୍କର ନଦୀତୀରେ

2 mins
152

ସମ୍ପର୍କର ନଦୀତୀରେ....... 

----------------------------------------

ଜୀବନ ଝରଣା ବହିଲା ଏନ୍ତୁଡ଼ିଶାଳରୁ, 

ଛୋଟ ଛୋଟ ଧାର ପରି କୁଆଁ କୁଆଁ ରାବରୁ. 

କେତେ କେତେ ହସ ଫୁଟିଲା ପିତା ମାତା ମୁଖେ, 

ଆତ୍ମୀୟ ଙ୍କ ଆନନ୍ଦ ତ ଏ ଦୁନିୟା ବି ଦେଖେ. 

ଧୀରେ ଧୀରେ ଜୀବନ ଝରଣା ବଢି ତ ଚାଲିଲା, 

ମା କୋଳ ଛାଡି ପୁଣି ପିତାଙ୍କ ହାତ ସେ ଧରିଲା. 

ସେ ଝରଣା ବଡ଼ ହୋଇ ଏକ ନଦୀର ରୂପ ନେଲା, 

କିଛି ଶିକ୍ଷା ଦୀକ୍ଷା ନେଇ ଜ୍ଞାନ ଆହରଣ ବି କଲା. 

ଶୈଶବ ରୁ କୈଶୋର ଦେଇ ଯେବେ ଆଗେ ସେ ବଢ଼ିଲା, 

ତା ଜୀବନ ନଦୀତୀରେ ଭିନ୍ନ ଭିନ୍ନ ସମ୍ପର୍କ ସେ ଗଢିଲା. 

ଶୈଶବରେ ଖେଳୁ ଖେଳୁ ସେ କିଛି ବାଲ୍ୟ ବନ୍ଧୁ ପାଇଲା, 

ତାଙ୍କ ସଙ୍ଗେ ନାଚି କୁଦି ମନେ ମିଠା ମିଠା ଭାବ ସେ ଭରିଲା. 

କୈଶୋରରେ ଆଉ କିଛି ବନ୍ଧୁ ତ ସଙ୍ଗେ ଯୋଡି ହେଲେ, 

ଜୀବନ କୁ ସରସ ସୁନ୍ଦର କରିବାରେ ସାଥି ହେଲେ. 

ଜ୍ଞାନ ପାଇଁ ଯେବେ ବିଦ୍ୟାଳୟରେ ପାଦ ଦେଲା, 

ଶିକ୍ଷାଦାତା ରୂପେ ସେ ନିଜ ଗୁରୁଙ୍କୁ ପାଇଲା. 

ଗୁରୁଙ୍କ କୃପାରୁ ନିଜ ଜୀବନ ସ୍ରୋତକୁ ଶୃଙ୍ଖଳିତ କଲା, 

ଭବିଷ୍ୟତର ସ୍ୱପ୍ନ ଦେଖି ବର୍ତ୍ତମାନକୁ ସୁଦୃଢ଼ କରିଲା. 

କୈଶୋର ରୁ ବଢ଼ୁ ବଢ଼ୁ ଯେବେ ଯୌବନରେ ପ୍ରବେଶିଲା, 

ଉତ୍ସାହ ଉନ୍ମାଦନାରେ ମିଠା ମିଠା ସପନ ସେ ଦେଖିଲା. 

ଯୌବନର ମାୟା ତାକୁ ବେଳେ ବେଳେ ପଥ ଭ୍ରଷ୍ଟ କଲା, 

କ୍ଷଣକ ପାଇଁ ସେ ନିଜ ଲକ୍ଷ୍ୟକୁ ଯେବେ ଭୁଲି ଗଲା. 

ସମୟ ତ ସ୍ଥାୟୀ ନୁହେଁ, ଗଡି ସେ ଚାଲିଲା, 

କ୍ଷଣକ ସେ ଭୁଲ ତାକୁ ବଡ଼ ମହଙ୍ଗା ପଡିଲା. 

ବିଚଳିତ ମନ ଯେବେ ଅତି ଚଞ୍ଚଳ ହୋଇ କହିଲା, 

ଯୌବନର ନିଶାରେ ପଡି ପ୍ରେମରେ ପଡିଲା. 

ପ୍ରେମ ତ ସୁନ୍ଦର ଶାଶ୍ୱତ, ସେ ତ ଏକ ମଧୁର ସମ୍ପର୍କ, 

କିନ୍ତୁ ଅପକର୍ମ ବଳେ ଦୁର୍ନାମ ରଚି ସୃଷ୍ଟି କରେ ତର୍କ. 

ସେ ତର୍କ ବିତର୍କରେ ଲିପ୍ତ ହୋଇ ହେଲା ସେ ଅଜ୍ଞାନ, 

ଭ୍ରମିତ ହେଲା ଭୁଲି ଗୁରୁଙ୍କର ସବୁ ସାଧୁବାଣୀ. 

ଭୁଲେ ଯେବେ ଅଜ୍ଞାନ ହୋଇ ସେ ପିତା ମାତାଙ୍କର ସ୍ନେହ, 

ପରିବାର ଭୁଲି ଅନ୍ଧ ହୁଏ, ଯେବେ ଗ୍ରାସଇ ମାୟାର ମୋହ. 

ଯେବେ ଯୌବନର ଉଚ୍ଚ ପର୍ବତ ସେ ଲଙ୍ଘଇ, 

ପ୍ରୌଢତ୍ୱର ଦ୍ୱାର ଦେଶେ ପ୍ରବେଶ କରଇ. 

ଯେବେ ଏକାନ୍ତେ ବସି ଦେଖେ ଅତୀତର ସ୍ମୃତିକୁ, 

ଦୋଷ ଦିଏ ନିଜ କର୍ମ ଓ ମନର ଚଞ୍ଚଳତାକୁ. 

ଅନୁତାପର ବହ୍ନିରେ ଜଳି ଜଳି ହୁଏ ମ୍ରିୟମାଣ, 

ବୁଝେ, ସମ୍ପର୍କର ନଦୀତୀରେ ରହିଛି ସବୁ ପ୍ରମାଣ. 

ବୁଝେ ତେବେ ନଦୀ ପରି ବହି ବହି ଲୀନ ହେବ ସାଗର ବକ୍ଷରେ, 

ସେ ସାଗର ତ ପରମାତ୍ମା,ଲୀନ ହେବ ତାଙ୍କ ସୃଷ୍ଟି ଭିତରେ. 

ସେ ତ ହେବ ତାର ଏହି ଜୀବନର ଶେଷ ଯାତ୍ରା, ଏହା ଅନ୍ତିମ ସତ୍ୟ, 

ରହିଯିବ ସମ୍ପର୍କର ନଦୀତୀରେ ହୋଇ କିଛି ସ୍ମୃତି ଓ ଅତୀତ. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational