ସମ୍ପର୍କ
ସମ୍ପର୍କ
ବନ୍ଧନ ଭାରି ଭଲ ଲାଗେ,
ଯଦି ସିଏ, ତୁମର ସେ ମିଠା ମିଠା
ପ୍ରଣୟର ବନ୍ଧନ ହୁଏ ।
ବନ୍ଧନ ଏଇ କେମିତି ବନ୍ଧନ ସତେ,
ନା’ କିଛି ଡୋରି ନା କିଛି ଗଣ୍ଠି,
ହେଲେ କେତେ ମଝଭୂତ ଫାଶ !
ସହଜରେ ଖୋଲି ହୁଏ ନାହିଁ,
ଛିଣ୍ଡେଇ ଦେବାକୁ କେବେ,
ହୁଏନା ସାହସ ।
କିଏ ବା କାହିଁକି ଚାହିଁବ,
କଲିଜାକୁ ଜାଳି ଦେବା ପାଇଁ ?
ଶରୀର ତ ନିର୍ଲଜ ସତେ,
ସବୁ କିଛି ସହି ଯିବ,
ନିର୍ମୋହୀ ସାଧୁଟିଏ ପରି ।
ହେଲେ, ହୃଦୟ ତ ଫାଟି ଯିବ,
ଶହସ୍ର ଟୁକୁଡା ହୋଇ,
ଏଣେ ତେଣେ ଛିଟିକି ପଡିବ
ସୁତା ଛିଣ୍ଡା ମୁକ୍ତାର ଦାନା
ଗୋଟି ଗୋଟି କରି,
ବିଛାଡି ପଡିବ ଅବା
ଅସହାୟ କରକାର ସରି ।
ଏଇ ବନ୍ଧନ, କେତେ ଯେ କୋମଳ,
ସରମୀ ଲତାଟିଏ ସତେ,
ଗୁଡେଇ ତୁଡେଇ ହୁଏ,
ପ୍ରିୟ ଅଙ୍ଗ ସଙ୍ଗ ପାଇଁ,
ସତେ ଅବା ଲୋଡୁ ଥାଏ,
ଦରଦୀ ପ୍ରେମର ନରମ ହୃଦୟଟିଏ ।
ବନ୍ଧନ ଏ ପାରଦର୍ଶୀ କାଚଘର,
କଠିନ ବହୁତ, ହେଲେ
ଭାଙ୍ଗି ରୁଜି ଟୁକୁଡା ଟୁକୁଡା ହୁଏ,
ସହି ପାରେ ନାହିଁ
ସନ୍ଦେହର ଟିକିଏ ଆଘାତ
କେବେ ଯଦି ଲାଗି ଯାଏ ।
ସମ୍ପର୍କର ଏ ବନ୍ଧନ,
ମନୋରମ ଜତୁଗୃହ ଟିଏ,
ଘଡିକରେ ଧୁଉ ଧୁଉ ଜଳି ଯାଏ,
ଅହଂକାର/ଭୂଲ ବୁଝାମଣାର
ଦିଆସିଲି କାଠି ସଙ୍ଘର୍ଷରେ ।
ସମ୍ପର୍କର ବନ୍ଧନ ସବୁ
ଯେତିକି ମଜଭୂତ ଲାଗେ,
ସେତିକି ସହଜ ଭଙ୍ଗୁର,
ଛିଣ୍ଡି ଗଲେ ସୁତା ଖିଅ
ଯୋଡେ ନାହିଁ ଆଉ କେବେ
ଏତେ ସହଜରେ ।
ବନ୍ଧନ ଏ ଅମୂଲ୍ୟ ଜଗତେ,
ମୋଲ ତୋଲ ଖାଇ ଯାଏ,
ଅସଲ ଲାଭାଂଶ ପ୍ରେମରେ ।
ସମ୍ପର୍କକୁ ସାଇତି ରଖ,
ନିଜ ଛାତିରେ ଲଗାଇ,
ନିଜ ହୃଦୟରେ,
ଅମୂଲ୍ୟ, ମହାର୍ହ୍ୟ ସମ୍ପଦ
ସିଏ ଏଇ ମଣିଷ ଜୀବନରେ ।