ସମ୍ପର୍କ
ସମ୍ପର୍କ
ସମ୍ପର୍କ ଏମିତି ଶବ୍ଦଟିଏ ଯାହା
ବନ୍ଧନଟି ମମତାର
ସମ୍ପର୍କ ସ୍ଥାପନ ସଭିଙ୍କର ଧର୍ମ
ସମ୍ପର୍କେ ବନ୍ଧା ସଂସାର।
ମାଆର ସମ୍ପର୍କ ମମତାରେ ଭରା
ଥାଏ ନିଜ ସନ୍ତାନରେ
ଗାଁର ସମ୍ପର୍କ ଐତିହ୍ୟ ସଂସ୍କୃତି
ପରମ୍ପରା ସ୍ଵାକ୍ଷରରେ।
ଗାଈର ସମ୍ପର୍କ ଘାସ ସହିତରେ
ଗୋପାଳର କ୍ଷୀର ସହ
ବୃକ୍ଷଟି ସମ୍ପର୍କେ ପକ୍ଷୀଟିକୁ ଡାକେ
ମୋ ଡାଳେ ଆସି ତୁ ରହ।
ସ୍ଵାମୀ ସହ ସ୍ତ୍ରୀ ସମ୍ପର୍କରେ ବନ୍ଧା
ବନ୍ଧୁ ସମ୍ପର୍କ ଭାବରେ
ଭକ୍ତ ଭଗବାନ ଅମୃତ ସମ୍ପର୍କ
ନଦୀ ସମ୍ପର୍କ ସାଗରେ।
ସମ୍ପର୍କ ମଧୁର ଗୁରୁଶିଷ୍ୟଙ୍କର
ଛାତ୍ର ସମ୍ପର୍କ ବିଦ୍ୟାରେ
ବର୍ଷାର ସମ୍ପର୍କ ଶ୍ରାବଣରେ ସତେ
ଫଗୁଣର ବସନ୍ତରେ।
ବାଟର ସମ୍ପର୍କ ବାଟୋଇ ସାଥିରେ
ଫୁଲ ସହିତେ ଭ୍ରମର
ସଧବା ନାରୀର ଦୁଇପଟ ଶଙ୍ଖା
ଟୋପେ ସୁହାଗ ସିନ୍ଦୂର ।
ବଙ୍କୁଲୀ ବାଡିରେ ଅଜାଙ୍କ ସମ୍ପର୍କ
ମୀନ ସମ୍ପର୍କ ପାଣିରେ
ପ୍ରେମୀ ଯୁଗଳଙ୍କ ନିବିଡ ସମ୍ପର୍କ
ପ୍ରେମ ପ୍ରଣୟ ସାଥିରେ।
ଆକାଶ ସମ୍ପର୍କ ମେଘ ବାଦଲରେ
ଜହ୍ନ ସମ୍ପର୍କ କଇଁରେ
ସୂରୁଜ ଉଇଁଲେ ପଦୁଅଁ ବିକଶେ
ବାସ୍ନା ନାଶିକା ରନ୍ଧ୍ରରେ।
ସଙ୍ଗୀତେ ସମ୍ପର୍କ କଣ୍ଠଶିଳ୍ପୀଟିର
ତୂଳୀ ସାଥେ ଚିତ୍ରକର
ବଂଶୀର ସମ୍ପର୍କ ସାତ ସୁରେ ପୁଣି
ଲେଖନୀରେ କବିଟିର।
ଚୋରର ସମ୍ପର୍କ ଅନ୍ଧାର ରାତିରେ
ପ୍ରେମର ଚାନ୍ଦିନୀ ରାତି
ଏକାକିନୀ ସେହି ବିରହିଣୀ କଇଁ
ଖୋଜୁଥାଏ ମନ ସାଥୀ।
ସମ୍ପର୍କରେ ବନ୍ଧା ଦୁନିଆଁ ଯଦିବା
ମାନବିକ ମୂଲ୍ୟବୋଧ
ପବିତ୍ର ସମ୍ପର୍କ କାହିଁ କଳଙ୍କିତ
ମୂଲ୍ୟହୀନ ସେହି ଶବ୍ଦ?
ପ୍ରେମ ଏଠି ଯଦି ପ୍ରତାରଣା ହୁଏ
ସମ୍ପର୍କର ଦ୍ଵାହି ଦେଇ
ବୁଝିବାକୁ ହେବ ସ୍ଵାର୍ଥ ଅହଂ ଭାବ
ପ୍ରାୟତଃ ୟା ପାଇଁ ଦାୟୀ।
ଘରେ ଘରେ ମିଠା ସମ୍ପର୍କଟି ଆଜି
ସତେ ହଳାହଳ ବିଷ
ପ୍ରତି ଅନୁଷ୍ଠାନେ କି ଅନୁଶାସନେ
ସମ୍ପର୍କଟି ଲାଗେ ତୁଚ୍ଛ।
କର୍ମଚାରୀ ଏଠି କରୁଛି ଦୁର୍ନୀତି
ସ୍ଵାର୍ଥ ଅର୍ଥେ ଅନ୍ଧ ହୋଇ
ମଦ୍ୟପର ମଦେ ସମ୍ପର୍କଟି ଯେଣୁ
ବ୍ୟଭିଚାର ବଢୁଥାଇ।
ଯେଉଁ ସମ୍ପର୍କଟା ନଷ୍ଟକାରୀ ତା'ଠୁଁ
ଦୂରେଇ ରହିବା ଭଲ
ଯଦିବା ସମ୍ପର୍କ ସାଧୁ ସଙ୍ଗେ ଥିବ
ଜୀବନର ରହେ ମୂଲ୍ୟ।
ପେଟର ସମ୍ପର୍କ ମୁଠେ ଆହାରରେ
ମୁଣ୍ଡ ସମ୍ପର୍କ ଜ୍ଞାନରେ
ହାତର ସମ୍ପର୍କ ଦାନ ପୂଣ୍ୟ ସହ
ପାଦ ସମ୍ପର୍କ ତୀର୍ଥରେ।
ଆଖିର ସମ୍ପର୍କ ଦୁଃଖୀର ଦୁଃଖରେ
ପାଟିର ସମ୍ପର୍କେ ସତ
ପରୋପକାରର ସମ୍ପର୍କେ ଏ ଦେହ
ସଦା ଅଟେ ସମର୍ପିତ।
ପେଟ୍ରୋଲରେ ଯେହ୍ନେ ଗାଡ଼ିର ସମ୍ପର୍କ
ଦେହ ସମ୍ପର୍କ ଆହାରେ
ଜୀବ ପରମର ପବିତ୍ର ସମ୍ପର୍କ
ଆଧ୍ୟାତ୍ମ୍ୟ ଅନୁଭୂତିରେ।
ପ୍ରକୃତି ସମ୍ପର୍କ ଚିରନ୍ତନ ସତ୍ୟ
ଆଉ ଯେତେ କ୍ଷଣସ୍ଥାୟୀ
ପ୍ରେମର ସମ୍ପର୍କ ଯେ ବାନ୍ଧିବ ଏଠି
ସେ ଏକା ଜିତିବ ଭାଇ।
ସେହି ସମ୍ପର୍କକୁ ହାଟ ବଜାରରେ
ଖୋଜିଲେ ପାଇବ ନାହିଁ
ମନ ସଫା କଲେ ନିଜଠୁଁ ପାଇବ
ମୂର୍ଖ ଅପର୍ତ୍ତି କହଇ।
