STORYMIRROR

Sukadev Mahanta

Abstract Inspirational

3  

Sukadev Mahanta

Abstract Inspirational

ସମ୍ପଦ କାଳେ ସର୍ବେ ସଖା

ସମ୍ପଦ କାଳେ ସର୍ବେ ସଖା

1 min
167

ଉତ୍ସବ ବ୍ୟସନ   ନ୍ୟାୟାଳୟ ଅବା

    ଶ୍ମସାନେ ଦୁଃଖ ସମୟେ

ଦୁ୍ର୍ଭିକ୍ଷ ବେଳରେ   ରାଷ୍ଟ୍ର ବିପ୍ଳବରେ

     ଯିଏ ସଦା ପାଶେ  ଥାଏ,

ସଦା ସାହାଯ୍ୟର       ହାତ ବଢାଏ ଯେ

      ସ୍ବାର୍ଥ ଜଳାଞ୍ଜଳି ଦେଇ

ତାକୁ ହିଁ ପ୍ରକୃତ     ସଖା କୁହାଯାଏ

   ସର୍ବେ ଜାଣିରଖ ଭାଇ ।

ସଂପ୍ରତି  ସମାଜେ    ନୀତି ଆଦର୍ଶର

     ହୋଇଅଛି ଅବକ୍ଷୟ 

ଅଧର୍ମ ଅନୀତି       ରାଜୁତି  ବଢିଛି

    ଅଧର୍ମର   ଅଭ୍ୟୁଦୟ,

ସ୍ବାର୍ଥକୁ ସାରଥି      କରିଛି ମଣିଷ

      ଜୀବନର ପ୍ରତି  କ୍ଷଣେ  

ସ୍ବାର୍ଥ ସିଦ୍ଧି  ଲାଗି    ଉଦ୍ୟମରେ ରତ

  ନୀଚ୍ଚ ଚିନ୍ତା ତାର   ମନେ ।

ଯଦି ତୁମ ପାଶେ     ଧନ ଦୌଲତର

     ପ୍ରାଚୁର୍ଯ୍ଯତା ବିଦ୍ୟମାନ

ନାନା ପରକାରେ      ମିଛ ଅଭିନୟ

      କରି କିଣି ନିଏ ମନ ,

ତୁମ ମନେ ଭ୍ରମ     ସୃଷ୍ଟି କରି ସିଏ

       ମିଛରେ ବୋଲାଏ ସଖା

ପର୍ଯ୍ଯାୟ କ୍ରମରେ      ସ୍ବାର୍ଥ ସିଦ୍ଧି କରେ

     ସଙ୍କଟେ ନ  ଦିଏ ଦେଖା ।

ତୁମ ଘରେ ଥିଲେ      ରୂପବତୀ ନାରୀ

       କାମନା  ବାସନା ରଖି

ତୁ୍ମ୍ଭେ ଗୋଟିପଣେ   ଆଦର କରଇ

     ଜନ୍ମଦିନେ  କେକ୍ କାଟି ।

ଡାକ କି ନ ଡାକ   ଘରକୁ ଆସଇ

     ସତେକି ନିଜର  ଅତି

ଅତି ଚତୁରରେ    ସମ୍ପର୍କ ବଢାଇ

   ଗଢିନିଏ ଚୋରା ପ୍ରୀତି

ମାନ ସନମାନ    ମାଟିରେ ମିଶଇ

    ସେଇଭଳି ସଖା କଲେ

ତେଣୁ ଭଲଭାବେ    ଦେଖିଚାହିଁ ତୁମେ

   ସମ୍ପର୍କ  ଗଢିବ ଭଲେ ।

କର୍ମକ୍ଷେତ୍ରେ ତୁମ     ଅଧସ୍ତନ କେହି

     ତେଲ ମାରୁଥାଏ ବେଶି

ଜାଣିରଖ  ସିଏ     ସ୍ବାର୍ଥ ସିଦ୍ଧି କରି

     ସଂକଟରେ ଯିବ  ଖସି ।

ରାଜନୀତି କ୍ଷେତ୍ରେ      ନିର୍ବାଚନ ଜିତି

     ଯେବେ କ୍ଷମତା  ହାତରେ

ସ୍ବାର୍ଥ ସିଦ୍ଧି ଲାଗି     ସଖା ବୋଲି କହି

     ନର ସ୍ବାର୍ଥ ସିଦ୍ଧି କରେ ।

କ୍ଷମତା ନ ଥିଲେ   ତୁମରି ଦୁଆରେ

    ପାଦ ପଡେ ନାହିଁ ତା'ର

ମୁୂହୂର୍ତ୍ତକ ମଧ୍ୟେ    ରଙ୍ଗ ବଦଳାଏ

      ହୋଇଯାଏ ସାତ ପର ।

ହାଟୁଆ ହାତରୁ     କଉଡି ସରିଲେ

      ହାଟର ମମତା ତୁଟେ

ହାଟକୁ  ଛାଡିସେ     ଘରକୁ ଫେରଇ

    ସିଧା ସିଧା ନିଜ  ବାଟେ ।

ବିଟପ ପାଖରୁ       ପଇସା ପାଇଲେ

      ବିଟପୀର ପ୍ରେମ ତୁଟେ

ଯୌନ କ୍ଷୁଧା ତାର   ମେଣ୍ଟି  ଗଲା ପରେ

     କାମୁକ ନିଜର ବାଟେ ।

ଆଜିର ଦୁନିଆଁ   ଅଟେ ମିଛ ମାୟା

    ସଭିଏଁ  ମାୟାରେ ବାୟା

 ମାୟା ମୃଗ ପଛେ    ଧାବମାନ ନର

     ସର୍ବତ୍ର   ସ୍ବାର୍ଥର ଛାୟା ।

ସମ୍ପଦ କାଳରେ    ସର୍ବେ ସଖା ଏଠି

   ସେ ସଖାର ମୂଲ୍ୟ  ନାହିଁ

ବିପଦ କାଳରେ      ଦେଖା ନାହିଁ ତା'ର

       ସ୍ବାର୍ଥପର ଅଟେ ସେହି ।

ସଖା ସଖା ବୋଲି     ନିଜକୁ   ବୋଲାଇ

      ସଂପର୍କ    ଯୋଡୁଛି ଆସି

ଭଲ ଭାବେ ଚିହ୍ନି     ସମ୍ପର୍କ ଗଢିବ

    ଯିବନି କଥାରେ  ଭାସି ।


Rate this content
Log in

Similar oriya poem from Abstract