ସମ୍ମୋହନ ରଙ୍ଗେ
ସମ୍ମୋହନ ରଙ୍ଗେ
ଝୁରି ମରିବାଟା ସାର ଲୋ ସଜନୀ
ପ୍ରାଣତାକୁ ଦେଲେ ଥରେ,
ଝୁରାଇ, କନ୍ଦାଇ ହୃଦୟ ଦହଇ
ବ୍ୟଥା ଯାହା ହୃଦୟରେ ।
ଗୋପ, ଗୋପାଳୁଣୀ ସେ ରାଧିକା ରାଣୀ
କାହାକୁ ଛାଡ଼ିଛି କହ,
ତଥାପି ଶ୍ୟାମଳ ରଙ୍ଗେ ରଙ୍ଗାଇଛି
ସମ୍ମୋହନ ଝରା ମୋହ ।
ସଜନୀ ପ୍ରାଣର ବିଦଗ୍ଧ ଭାବକୁ
କହିପାରେ ନାହିଁ କେହି,
ରଙ୍କହୋଇ ରଙ୍କା ଯେତେ ଏଠି ଝୁରୁ
ତାର କିବା ହୃଦ ନାହିଁ ।
କାହିଁଗଲା ଶ୍ୟାମ ଝୁରୁଛି ଯମୁନା
ଝୁରେ ଗୋପ ନରନାରୀ,
ରାଧାରାଣୀ ଝୁରେ କୁଞ୍ଜର କାନନେ
ହଜିଲାଣି ତାଙ୍କ ଶିରି ।
ଗୋଧୂଳି ବେଳେରେ ଧୂଳି ଉଡୁନାହିଁ
ଗୋପାଳ ପୁଅଙ୍କ ମେଳେ,
ବଂଶୀ ଶୁଭୁନାହିଁ ଗାଈ ଆସୁନାହିଁ
ଯମୁନା ଆସୁନି କୂଳେ ।
