STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ସ୍କନ୍ଧମାତା

ସ୍କନ୍ଧମାତା

1 min
307

ନବରାତ୍ରୀ ପୂଜା ପଞ୍ଚମ‌ ଦିନ କଥା କାହାଣୀ

ଶୁଣ ହେ ସୁଜନେ କହୁଛି ଗୋଟି ଗୋଟି ବଖାଣି।

ସ୍କନ୍ଧମାତା ରୂପେ ମାଆ ଯେ ପୀଠେ ହୁଅନ୍ତି ପୂଜା

ଦିଗ ଚଉଦିଗେ ମାଆଙ୍କ ଉଡ଼େ ମଙ୍ଗଳ ଧ୍ବଜା।

କାର୍ତ୍ତିକଙ୍କ ଅନ୍ୟ ନାମଟି ସ୍କନ୍ଧ ଅଟଇ ଯେଣୁ

ସ୍କନ୍ଧମାତା ରୂପେ ମାଆ ଯେ ଖ୍ୟାତ ହୋଇଲେ ତେଣୁ ।


ଶିବ ପୁରାଣରୁ ପୁଣି ଯେ ସ୍କନ୍ଧ ମହାପୁରାଣ

ସ୍କନ୍ଧମାତା ଜନ୍ମ କାହାଣୀ ହୋଇଅଛି ବର୍ଣ୍ଣନ।

ଦକ୍ଷ ସୂତା ସତୀ ଅକାଳେ ଦେଲେ ପ୍ରାଣ ଆହୁତି

ମାତୃଶକ୍ତି ବିନା ସଂସାରେ ବଢ଼ିଗଲା ଅଶାନ୍ତି।

ଶାନ୍ତି ସଂସ୍ଥାପନ ପାଇଁକି ମାଆ ଜନମ ନେଲେ

ପର୍ବତ ରାଜାଙ୍କ ନନ୍ଦିନୀ ସେ ତ ପାର୍ବତୀ ହେଲେ।


ବ୍ରହ୍ମା ବଳେ ବଳିୟାନ ଯେ ଦୈତ୍ୟ ତାରକାସୁର

ଶିବ ପୁତ୍ର ହସ୍ତେ ମରିବ ପାଇଥିଲା ସେ ବର।

ସାରା ଜଗତର ମଙ୍ଗଳ ପାଇଁ ମାଆ ପାର୍ବତୀ 

ଘୋର ତପ କରି ଶିବଙ୍କୁ ସେ ତ ବରିଲେ ପତି ।

ବୀର କାର୍ତ୍ତିକଙ୍କୁ ମାଆ ଯେ ତହୁଁ ଜନମ ଦେଲେ

ତାରକାସୁରକୁ କାର୍ତ୍ତିକ ରଣେ ବଧ କରିଲେ ।


ସ୍କନ୍ଧମାତା ବୀର ଜନନୀ କୋଳେ ସ୍କନ୍ଧଙ୍କୁ ଧରି

ଢାଳିଦିଅନ୍ତି ସେ ଭକ୍ତଙ୍କୁ ତାଙ୍କ ଆଶିଷ ବାରି।

ଚତୁର୍ଭୁଜା ସିଂହ ବାହିନୀ ମାଆ ଶକ୍ତିରୂପିଣୀ

ମମତାର ପାରାବାର ସେ ମାଆ ମୁକ୍ତି ଦାୟିନୀ।

ନିଷ୍ଠାରେ ମାଆଙ୍କ ନାମକୁ ଯିଏ ଜପ କରନ୍ତି

ବିଦ୍ଯା ବୁଦ୍ଧି ଧନ ସମ୍ମାନ ସେ ତ ଲାଭ କରନ୍ତି।


ସବୁଜ ରଙ୍ଗ ଯେ ମାଆଙ୍କ ଅଟେ ସବୁଠୁ ପ୍ରିୟ

ସବୁଜ ବସନେ ପୂଜିଲେ ଦୂର କରନ୍ତି ଭୟ।

ହଳଦିଆ ରଙ୍ଗ ଫୁଲରେ ମାଆଙ୍କର ଶରଧା

ହଳଦିଆ ଫୁଲ ଅର୍ପଣେ ଦୂର ହୁଅଇ ବାଧା ।

ଜୟ ଜୟ ସ୍କନ୍ଧମାତା ଗୋ ଜଗତର ଜନନୀ

ଜଗତର ହେଉ ମଙ୍ଗଳ ପାଦେ ଏହି ଦୟିନୀ।



Rate this content
Log in

Similar oriya poem from Classics