ସକାଳର ଜଣାଣ
ସକାଳର ଜଣାଣ
ଶୟନେ ସପନେ ଅବା ଜାଗରଣେ
ବ୍ୟାକୁଳିତ ଯାର ମନ
କାଳିଆସାଆନ୍ତ ମନୋବାଞ୍ଛା ତାର
କରିଥାନ୍ତି ଯେ ପୂରଣ ।
ସୁର୍ଯୋଦୟ କାଳେ ପ୍ରାଚୀଦିଗେ ଉଇଁ
ସୂର୍ଯ୍ଯାସ୍ତେ ଯାଆନ୍ତି ଲୁଚି
ଦିନ ପରେ ରାତି ବରଷ ତମାମ
ଋତୁଚକ୍ରେ ଆଙ୍କି ଛବି ।
ଧରାକୁଧାରଣ ଧର୍ମକୁ ସ୍ଥାପନ
ଭକତେ ଦେଇ ଦର୍ଶନ
ତୀର୍ଥାଟନ କାଳେ ଭ୍ରମି ଭିନ୍ନ ସ୍ଥାନେ
ଏକା ସେ ଚକାନୟନ ।
ପତିତଉଦ୍ଧାରେ ତାଙ୍କବାନା ଉଡେ
ନୀଳାଚଳେ ଫରଫର
ଧର୍ମେ ନାହିଁ ଦ୍ୱେଷ ନାହିଁ ତ ଫରକ
ତାର ନାମ ଏକା ସାର ।
ନିଜ ଅନୁଭବେ ଖୋଜିବା ତାହାଙ୍କୁ
ଦେଖ ଅନ୍ତର ଭିତର
ଯାମନ ଯେମିତି ତା ପ୍ରଭୁ ସେମିତି
ଭାବମୟ ସେ ଠାକୁର ।
ନ ଡାକିଲେ ତାଙ୍କୁ ଦିନ ମୋ ସରେନା
କରୁଣାସାଗର ହରି
କର୍ମ ଫଳ ତାଙ୍କୁ ନିତି ଅରପଇ
ବନ୍ଧନୁ ଦେବେ ଉଦ୍ଧରି ।