ସଜାଇ ରଖିଛି
ସଜାଇ ରଖିଛି
ସଜାଇ ରଖିଛି ଫୁଲର ଶେଯ ମୁଁ
କହ୍ନେଇ ଆସିବେ ବୋଲି,
ମଲ୍ଲୀ ମାଳତୀ ଯେ ଚମ୍ପାନାଗେଶ୍ଵର
ଆବର କେତକୀ କଳି ।
ଯୁଇ-ଯାଇ ହେନା ଟଗର ସହିତେ
ନାନା ଜାତି ଫୁଲମାନ,
ସଜାଇ ଦେଇଛି ଫୁଲେ ଫୁଲ ଶେଯ
ଆସିବେ ନନ୍ଦ ନନ୍ଦନ ।
କହ୍ନେଇ ଆସିଣ ବାନ୍ଧି ନେବେ ମୋତେ
ତାଙ୍କ ବାହୁ ବନ୍ଧନରେ,
କପାଳେ ଚୁମ୍ବନ ଦେଇଣ ମୋହନ
ବସାଇବେ ପଲଙ୍କରେ ।
ନାନା ରସେ ମୋତେ ଦେଇ ପ୍ରେମରସ
କିଣି ନେବେ ତନୁ ମନ,
ସାର୍ଥକ ହୋଇବ ଜୀବନ ଯୌବନ
ପାଇଲେ ନନ୍ଦନନ୍ଦନ ।
ଯୋଗାଡି ରଖିଛି ଶ୍ୟାମ ପାଇଁ ମୁହିଁ
ଗୋଟିକା ସରଲବଣୀ,
ଆମ୍ବ ପଣସ ଯେ କଦଳୀ ନାରଙ୍ଗି
ନାନା ଫଳ ଅଛି ଆଣି ।
ଘିଅ ରେ ବଳିତା ସଜାଇ ରଖିଛି
ଜାଳିବା ପାଇଁ ଜାଗର,
ଅଗୁରୁ ଚନ୍ଦନ ଗୋରଚୁନା ସାଥେ
ଆଵର ଚୁଆ କର୍ପୁର ।
କେତେବେଲେ ମୋର ହୃଦର ଠାକୁର
ଆସିବେ ଚାହିଁଛି ପଥ,
ଦିନ ଗଣୁଅଛି ଚାତକ ପରାୟେ
ଚାହିଁ ଚାହିଁ ତାଙ୍କ ପଥ ।
ଭାବର ଠାକୁର ଭାବବିନୋଦିଆ
କଥା ଦେଇଛନ୍ତି ମୋତେ,
ଆସିବେ ମୋ ପୁର କରିବେ ନିଜର
ନିଜର କରିବେ ସତେ ।
ଏ ମନ ପରାଣ ସବୁ ସମର୍ପିଛି
ଶ୍ରୀକୃଷ୍ଣଙ୍କ ପାଦତଳେ,
ରଖିଲେ ରଖିବେ ନ ରଖିଲେ ମୁହିଁ
ପ୍ରାଣ ବିସର୍ଜିବି ବଳେ ।
ହରତା କରତା ସେ ଭାଗ୍ୟ ବିଧାତା
ସେହି ଏକା ମୋର ପ୍ରାଣ,
କରିଛି ବିଶ୍ୱାସ ଆସିବେ ସେ ନିଶ୍ଚେ
ରଖିବେ ମୋହରି ମାନ ।
ମୁହିଁ କିଣା ଦାସୀ ତୁମ୍ଭର ଅଟଇ
ଆହେ ପ୍ରଭୁ ଦାମୋଦର,
କରବାରେ ଦୟା ଅଧମ ଦାସୀରେ
ଆହେ ପରାଣ ଈଶ୍ଵର ।