ସଜାଅନି ମତେ ଦେବୀ
ସଜାଅନି ମତେ ଦେବୀ
ସଜାଅନି ମତେ ଦେବୀ ତୁମେ କେବେ
ବସାଅନି ମତେ ମଣ୍ଡପରେ
ପିନ୍ଧାଅନି ମତେ ହାରମାଳ ତୁମେ
ସଜାଅନି ସୁନାରୂପାରେ।
ଧରାଅନି ହାତେ ଅସ୍ତ୍ରଶସ୍ତ୍ର ମୋର
ଖଡ୍ଗ ଖର୍ପର ତ୍ରିଶୁଳ
ଧୂପଦୀପ ଦେଇ ପୂଜ ନାହିଁ ମତେ
କର ନାହିଁ ଜମା ଛଳ।
ଚାହେଁ ନାହିଁ ତୁମ ପୂଜା ଅରଚନା
ଚାହେଁନି ସଂଗୀତ ମୂର୍ଚ୍ଛନା
ଆଡମ୍ବର ପୂର୍ଣ୍ଣ ସାଜସଜ୍ଜା ତୁମ
କେବେ ତାରେ ମୁହିଁ ଲୋଡେନା।
ଜୀବନ୍ତ ମୂର୍ତ୍ତିଟେ ଅଛି ଗୃହେ ତବ
ଜାୟା ଭଗ୍ନୀ ମାତା ରୂପରେ
ଦିନେ ତ ବୁଝିନ ମନକଥା ତାର
ଅଛି କି ନାହିଁ ସେ ସୁଖରେ।
ଜୀବନକୁ ଜାଳି ତିଳ ତିଳ କରି
ଲାଗିଥାଏ ତୁମ ସେବାରେ
ସଂସାର ଉଜ୍ଜ୍ୱଳ କରୁଥାଏ ସଦା
ଆପଣାକୁ ରଖି ଅନ୍ଧକାରେ।
ନିଜ ସୁଖ କେବେ ଚାହିଁ ନାହିଁ ସିଏ
ତୁମ ଖୁସିରେ ସେ ଖୁସି
ତୁମରି କଲ୍ୟାଣେ ଜାଳୁଥାଏ ଦୀପ
ସବୁରି ଆତ୍ମାକୁ ତୋଷି।
ଜୀବନ୍ତ ଦେବୀକୁ ପୂଜା କର ତୁମେ
ତାକୁ ହିଁ ଦିଅ ସମ୍ମାନ
ମନ ଭିତରର ଅସୁରକୁ ମାର
ଧନ୍ୟ ହେବରେ ଜୀବନ।
