STORYMIRROR

Bhumisuta Sahu

Romance Others

3  

Bhumisuta Sahu

Romance Others

ସୀତା ବିଦାୟ

ସୀତା ବିଦାୟ

1 min
220


ଧରଣୀଟା ଦୁଇ ଫାଳ ହୋଇଥିଲା ଚିରି

ସୀତାଙ୍କର ପଣତକୁ ଧରି

କହୁଥିଲେ ରାମଚନ୍ଦ୍ର ଯାଅନାହିଁ ଯାଅନାହିଁ ସଖୀ

ମୋତେ ଏକା କରି,

ତୁମବିନା କେମିତି ବଞ୍ଚିବି

ତୁମବିନା ଜୀବନ ମୁଁ ଧରିବି କିପରି ?


ମୃଦୁ ହସି କହୁଥିଲେ ମହାସତୀ ସୀତା

ବଞ୍ଚିନେବ ବଞ୍ଚିନେବ ତମେ

ଯେମିତି ବଞ୍ଚିଥିଲ ,ଥିଲି ଯେବେ ମିଥିଲା ରାଜ୍ୟରେ

ବନ୍ଦୀ ଥିଲି ଯେବେ ମୁହିଁ ଅଶୋକ ବନରେ

ଝିଅ ହୋଇ ରହିଥିଲି ବାଲ୍ମୀକି କୁଟୀରେ


ଜଳ ଛଳ ନୟନରେ କହୁଥିଲେ କଉଶଲ୍ୟା ସୁତ

ସେତେବେଳେ ତମେ ଥିଲ ରକ୍ତ ମାଂସ ଶରୀରରେ

ତମେଥିଲ ପୃଥିବୀରେ 

ତମେ ପୁଣି ରହିଥିଲ ମୋର ଏଇ ହୃଦୟ ଭିତରେ


ସୀତାଙ୍କର ପଣତରେ ପଡ଼ୁଥିଲା 

ସ୍ବାମୀଙ୍କ ଆଖିର ବୁନ୍ଦା ବୁନ୍ଦା ଲୁହ

କହୁଥିଲେ ମହାସତୀ ସୀତା

କେତେଥର ଦେବି ମୁଁ ପରୀକ୍ଷା

କେତେ ଥର ନିଜକୁ ମୁଁ ଝାସିବି ଅଗ୍ନିରେ

ଦେହ ଜାଳି କେହି କ'ଣ ଦେଇ ପାରେ ସତୀତ୍ଵ ପରୀକ୍ଷା

ମନ ମୋର ଅହରହ ଜଳୁଥିଲା ତୁମ ବିରହରେ

ଶୁଣ ଆହେ କୌଶଲ୍ୟା ନନ୍ଦନ

ଦେହର ଜ୍ବଳନକୁ ଦେଖନ୍ତି ସମସ୍ତେ

କିଏ ଦେଖେ ମନର ଜ୍ବଳନ ?


ବିଦାୟ ଦିଅ ହେ ମୋତେ ଅଯୋଧ୍ୟାର ରାଜା

ତମକୁ ଯେ ଅପେକ୍ଷା କରିଛନ୍ତି ଶହ ଶହ ପ୍ରଜା

ରାଜାର ଆଖିରେ ଲୁହ ନୁହେଁ ଶୋଭନୀୟ

ଧୈର୍ଯ୍ୟ ଧର ଦୃଢ଼ କର ମନ

ଶକ୍ତ କର ତୁମର ହୃଦୟ

ବିଧାତା ଯେ ଆଙ୍କିଥିଲା ଆମ ଭାଗ୍ୟେ ଏହିପରି ରେଖା

ଆଉ ଏକ ଜନ୍ମ ଯାଏ କରିବାକୁ ହେବ ଆମକୁ ପ୍ରତୀକ୍ଷା 

ଆଉ ଏକ ଜନ୍ମ ଯାଏ କରିବାକୁ ହେବ ତମକୁ ପ୍ରତୀକ୍ଷା ।।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance