ସିଧାକଥା-34 ଶତ୍ରୁବର
ସିଧାକଥା-34 ଶତ୍ରୁବର
ଶତ୍ରୁବର ହେ ! ତୁମକୁ ପ୍ରଣାମ, ତୁମେ ସଚେତନ କର,
ମୋର ଦୋଷ-ତ୍ରୁଟି ଦେଖି ଟିକିନିଖି ମନରେ ଭରୁଛ ଡର |
ତୁମପାଇଁ ସିନା ଅନ୍ୟାୟ ଅନୀତି କମିଯାଏ ଧୀରେ ଧୀରେ,
ତୁମପରି ଆଉ କିଏ ଉପକାରୀ ଅଛି ଏହି ସଂସାରରେ ?
ମୋର ପ୍ରଶଂସକ ଯେତେ ନିଜଲୋକ କରନ୍ତିନି ପ୍ରତିବାଦ ,
ତୁମେ ଏକା ମୋର ଅତି ପ୍ରିୟବନ୍ଧୁ ଦେଉଛି ମୁଁ ଧନ୍ୟବାଦ |
ଯେଉଁମାନେ ତୁମ ନିନ୍ଦାଗାନ କରି କୁହନ୍ତି ମୋ ପାଶେ ଆସି,
ଅସଲ ବେଳକୁ ଯାଆନ୍ତି କୁଆଡ଼େ ବିପଦେ ହୁଅନ୍ତି ଖୁସି |
ବରଷା ଦିନର ଘଡ଼ଘଡ଼ି ତୁମେ ବୈଶାଖ ମାସ ଖରା,
ଶୀତଦିନ ଜାଡ଼ ହେଇ ଆସ ବୋଲି ଲାଗେ ସତେ ହାଡ଼ଥରା |
ତୁମପାଇଁ ପୁଣି ଶେଷରେ ଫୁଟଇ ମନ ବଗିଚାରେ ଫୁଲ,
ଶତ୍ରୁ ପରି ପ୍ରିୟ ଅତି ଆପଣାର ନାହିଁ ଆଉ କିଏ ଭଲ |
