ସିଧାକଥା -୧୧
ସିଧାକଥା -୧୧


ଅଜବ ମଣିଷ ଓଲଟା ଚାଲିଛି ନିଜ ସଂସ୍କୃତିକୁ ଫାଙ୍କି,
ଜନମ ଦିନରେ ବତୀକୁ ନ ଜାଳି ଲିଭେଇ ଦେଉଛି ଫୁଙ୍କି ।
ଗରିବ ଡାକୁଛି ମନ୍ଦିର ବାହାରେ ଭିତରେ ଧନୀଙ୍କ ଭିଡ଼,
ଲକ୍ଷେଭାର କ୍ଷୀର ଢଳାହୁଏ ନିତି ଶିଶୁ ମାଗି ଖାଏମାଡ଼ ।
ପିତା-ମାତା ଯିଏ ଜୀବନ୍ତ ଦେବତା ତାଙ୍କୁ ପଚାରୁଛି କିଏ ?
ଠକଗୁରୁ-ବାବା ପାଲରେ ପଡ଼େ ଯେ ବଡ଼ଭକ୍ତ ହୁଏ ସିଏ ।
ଗୀତା ବାଇବେଲ କୋରାନ ମିଶିଲେ ଲାଗନ୍ତି ନାହିଁ ଲଢେଇ,
ଅଜବ ମଣିଷ ଗ୍ରନ୍ଥନାମ ଧରି ଲଢନ୍ତି କରି ବଡ଼େଇ ।
ଲୁଣ ହିଁ ସବୁଠୁ ଦରକାରୀ ଚିଜ ମୂଲ ତା'ର ବେଶି ନୁହେଁ,
ଅଲୋଡ଼ା ଚିଜକୁ ଅଧିକ ମୂଲରେ କିଣିବାକୁ ମନକହେ ।
ଲୁଣ ସିନା ମାରେ ପୋକ ଜୀବାଣୁକୁ ମିଠା ତାକୁ ଜନ୍ମ ଦିଏ,
ତଥାପି ମଣିଷ ଜାଣି ସବୁ ମିଠା ଖାଇବାକୁ ଭଲପାଏ ।
ପାଣିମିଶା ଦୁଧ ଗଉଡ଼ ବିକିଲେ ହୁଏ ହଟହଟା କେତେ,
ଦେଶୀ-ବିଦେଶୀରେ ପାଣିର ଆଦର ମିଶେଇ ପାରିବ ଯେତେ ।
ଶବକୁ ଛୁଇଁଲେ ସ୍ନାନ ଦରକାର ଅଇଁଠା ଛୁଇଁଲେ ମାରା,
ପଶୁ-ପକ୍ଷୀ ମାରି ହାଡ଼-ମାଂସ ଖାଉ ସିଏ ହୁଏନାହିଁ ଧରା ।