ସିଧା କଥା-53 ଦେବଦର୍ଶନ ପରେ
ସିଧା କଥା-53 ଦେବଦର୍ଶନ ପରେ
ସଭିଏଁ କହନ୍ତି ମନ୍ଦିରକୁ ଗଲେ ଦେବତା ଦର୍ଶନ ସାରି ,
ଦେବ-ଦେବୀ ପାଶେ ଟିକିଏ ନ ବସି ଯିବନି ଘରକୁ ଫେରି |
କେଉଁଠି ବସିବା କେମିତି ବସିବା କଅଣ ଭାବିବା ମନେ,
ଈଶ୍ଵର ବିଶ୍ଵାସ ଭକ୍ତିଭାବ ଥିବା ମଣିଷ ସେକଥା ଜାଣେ |
ବୁଦ୍ଧି ଜ୍ଞାନ ଆଉ ବିବେକ ଦୃଷ୍ଟିରୁ ମଣିଷ ହିଁ ଶ୍ରେଷ୍ଠଜୀବ,
ଦୟା କ୍ଷମା ଦାନ କରେ ସେ ମଣିଷ ଥାଏ ଯଦି ପ୍ରେମଭାବ |
ଶାସ୍ତ୍ରୀୟ ମତରେ ମନ୍ଦିର ପାଖରେ ବସିବ କିଛି ମୁହୂର୍ତ୍ତ,
ଆଖି ମୁଦିଥିବ ହାତ ଯୋଡ଼ିଥିବ ହେବନାହିଁ ବିଚଳିତ |
ପ୍ରାର୍ଥନା କରିବା-ହେ ପ୍ରଭୁ ଈଶ୍ଵର ! କୃତଜ୍ଞ ତୁମ ପାଖରେ,
ଏତେ ସବୁ ସୁଖ ଦେଇଛ ଜୀବନେ ପୁଣି ନିବେଦନ କରେ |
ମୋତେ ଦିଅ ପ୍ରଭୁ ସୁଖମୃତ୍ୟୁ ଯୋଗ ନିର୍ଭରଶୀଳ ହେବିନି,
ହାତ-ଗୋଡ଼ ମୋର ଚଳମାନ ଥିବ କାହାକୁ କଷ୍ଟ ଦେବିନି |
ମୃତ୍ୟୁପରେ ମୋତେ ତୁମରି ଚରଣେ ରଖିବ ଜଗତ ସାଇଁ,
ସମସ୍ତଙ୍କୁ ସୁଖେ ଆନନ୍ଦରେ ରଖ ମୋର କିଛି ଲୋଡ଼ାନାହିଁ |
ଏତିକି ପ୍ରାର୍ଥନା ଯାଚନା ନିୟମ ଶାସ୍ତ୍ରରେ ନିର୍ଦ୍ଦେଶ ଅଛି,
ଦେବତା ଦର୍ଶନ କରିବା ସମଯେ ମାଗିବାନି ଆଉ କିଛି | |
ଅନ୍ତର୍ଯ୍ୟାମୀ ହୋଇ ଅନ୍ତର ବେଦନା ବୁଝନ୍ତି ଜାଣନ୍ତି ପ୍ରଭୁ,
ମାଗିବା କାହିଁକି ବଳେ ଯାଚିଦେବେ ଆମ କର୍ମଫଳ ସବୁ |
