ଶୂନ୍ଯ ବ୍ରହ୍ମ
ଶୂନ୍ଯ ବ୍ରହ୍ମ
ହେ ପ୍ରଭୁ ଶୂନ୍ଯବ୍ରହ୍ମ
ତୁମରି ନିର୍ଦ୍ଦେଶରେ ସୃଷ୍ଟି ହେଲା ସମ୍ଭବ
ଏ ଅଧମ ଜନେ ଭରି ଦିଅ ଜ୍ଞାନ ବୈଭବ।
ଶୂନ୍ଯରେ ଆତଯାତ ଚନ୍ଦ୍ର, ତାରା, ଗ୍ରହ, ନକ୍ଷତ୍ର
ତୁମ୍ଭ ଦୟାରୁ ଉଦ୍ଭବ ଏ ଶଷ୍ଯ ଶ୍ଯାମଳା ଜଗତ।
ଶୂନ୍ଯବିହାରୀ ପ୍ରଭୁ ଶୂନ୍ଯରେ କରୁଅଛ ବିହାର
ଶୂନ୍ୟସ୍ୱରୂପରେ ପାଳିଛ ତୁମେ ବିଶାଳ ସଂସାର ।
ଶୂନ୍ଯଗୁରୁ ବିନା ହଲେନା ପତ୍ର, କଁଅଳେନା ଘାସ
ହେ ପ୍ରଭୁ ଶୂନ୍ଯପୁରୁଷ ମହାଶୂନ୍ଯରେ ତୁମ୍ଭର ବାସ।
ଶୂନ୍ଯସ୍ବରୂପ ପ୍ରଭୁ ଆହେ ଶୂନ୍ଯବିହାରୀ
ଶୂନ୍ଯ ରୂପେ ଶୂନ୍ୟତାକୁ ଶୂନ୍ଯରେ ଧରି
ଗଢିଅଛ ସଂସାର ଅଦେହରେ ଅବତରି
ତୁମ୍ଭେ ପ୍ରଭୁ ଶୂନ୍ଯବ୍ରହ୍ମ ଜଗତର ଶ୍ରୀହରି।
ଠୁଳ ଶୂନ୍ଯବାସୀ ପ୍ରଭୁ ଅଣାକାର ଅଯୋନିସମ୍ଭୂତ
ଅଦେହେ କରୁଅଛ ଲୀଳାଖେଳା ଶୂନ୍ଯପୁରେ 'ତ।
ପାପ ନେତ୍ର ଖୋଲି ଦିଅ ଜ୍ଞାନ ନେତ୍ରେ କରିବି ସନ୍ଧାନ
ତୁମ୍ଭ କୃପାବଳେ ସୁଗମ ହେଉ ମୋ ପଥ ମହାଶୂନ୍ଯ।
ଅନାଦି, ଅଲେଖ, ଅବ୍ୟକ୍ତ ପ୍ରଭୁ ଅନ୍ତର୍ଯ୍ୟାମୀ
ସକଳ ଘଟେ ବିରାଜିତ ଭିନ୍ନାଭିନ୍ନ କର୍ମ ଘେନି।
ତୁମ୍ଭ ପରି ଅରୂପଙ୍କ ରୂପ କେହି କି ଦେଖିପାରିବ
ତୁମ୍ଭ ପରି ଅନାମଙ୍କ ନାମ କିଏ ବା ଦେଇପାରିବ!
ପ୍ରଭୁ ତୁମେ ସର୍ବରୂପେ, ସର୍ବକାଳେ, ସର୍ବନାମେ
ଭାବନାରେ ବିଦ୍ଯମାନ ହୁଅ ପୂର୍ଣ୍ଣବ୍ରହ୍ମ ସର୍ବସ୍ଥାନେ।
ଶୂନ୍ଯ ରେ ଥାଇ ଶୂନ୍ଯ ବ୍ରହ୍ମ କରହେ କଲ୍ଯାଣ
ଶୂନ୍ଯକୁ ହାତ ଟେକି ସମର୍ପିତେ କରୁଛି ଶରଣ।।
