ଶୁଷ୍କ ଯମୁନା
ଶୁଷ୍କ ଯମୁନା
କଟି ଶୋଭା ନାହିଁ ମାଟି ଗଢା କୁମ୍ଭେ
ଶ୍ୱେତ ପରିଧାନ କାନ୍ଦେ,
ଯମୁନା ଶିଳାରେ ଶିଉଳି ବଖାଣେ
ଦ୍ୱାପର କାହାଣୀ ମନ୍ଦେ ॥
ଯମୁନାର ନୀର ସତେ କି ଶିଶିର
ଘାଟେ ଶୁଭୁନାହିଁ ବଂଶୀ,
କଦମ୍ବ କୁସୁମେ ବାସ ଫେଡି ଦୃମେ
ଝୁରୁଛନ୍ତି ଦିବାନିଶି ॥
କୁଂଜରେ ଭ୍ରମରେ ନୟନର ନୀରେ
ମଉନେ ଘୁମୁରେ ବସି,
ମଧୁପ ଆଡପେ ମଧୁ ସ୍ଫୁରେ ନାହିଁ
ଫୁଲ ହୋଇଯାଏ ବାସି ॥
ନଭରେ ଚନ୍ଦ୍ରମା ହରାଇ ଉପମା
ଉଜାଗରେ ହାଇମାରେ,
ନକ୍ଷତ୍ର ପୁଂଜରେ ବିଟପି ମଂଜୁଳ
ଅର୍ଘ୍ୟଥାଳି ବାଢେ କରେ ॥
କୃଷ୍ଣଚୂଡା ରଂଗ ଫିକା ପଡିଅଛି
କାହ୍ନୁ ବାଟକୁ ନିରେଖି,
ଯଶୋଦା ମାଆର ବାତ୍ସଲ୍ୟ ମମତା
ଆଖି ନୀରେ ଯାଏ ଶୁଖି ॥
ନିଇତି ସଅଳେ ରାଧାରାଣୀ ଭାଳେ
ସଜାଇ ଗଭାରେ ଫୁଲ,
ଯମୁନା ଘାଟରେ ମନ କୁଡିଆରେ
ତୋଳିବ କାହ୍ନୁର ମୂଲ ॥
ଝୁରୁଛି ଯମୁନା ଝୁରେ କୁଂଜବନ
ଝୁରେ କଦମ୍ବର ଛାଇ,
ଶୁଶ୍କ ହିଆ ଧରି ଯମୁନା ଚାହିଁଛି
ରାଧାକୃଷ୍ଣ କେଳି ପାଇଁ ॥

