STORYMIRROR

Gouranga Charan Beura

Romance

4  

Gouranga Charan Beura

Romance

ଶୁଷ୍କ ଯମୁନା

ଶୁଷ୍କ ଯମୁନା

1 min
269


କଟି ଶୋଭା ନାହିଁ    ମାଟି ଗଢା କୁମ୍ଭେ

     ଶ୍ୱେତ ପରିଧାନ କାନ୍ଦେ,

ଯମୁନା ଶିଳାରେ     ଶିଉଳି ବଖାଣେ

     ଦ୍ୱାପର କାହାଣୀ ମନ୍ଦେ ॥

ଯମୁନାର ନୀର      ସତେ କି ଶିଶିର

     ଘାଟେ ଶୁଭୁନାହିଁ ବଂଶୀ,

କଦମ୍ବ କୁସୁମେ     ବାସ ଫେଡି ଦୃମେ

      ଝୁରୁଛନ୍ତି ଦିବାନିଶି ॥

କୁଂଜରେ ଭ୍ରମରେ     ନୟନର ନୀରେ

     ମଉନେ ଘୁମୁରେ ବସି,

ମଧୁପ ଆଡପେ      ମଧୁ ସ୍ଫୁରେ ନାହିଁ

     ଫୁଲ ହୋଇଯାଏ ବାସି ॥

ନଭରେ ଚନ୍ଦ୍ରମା       ହରାଇ ଉପମା

      ଉଜାଗରେ ହାଇମାରେ,

ନକ୍ଷତ୍ର ପୁଂଜରେ       ବିଟପି ମଂଜୁଳ

      ଅର୍ଘ୍ୟଥାଳି ବାଢେ କରେ ॥

କୃଷ୍ଣଚୂଡା ରଂଗ        ଫିକା ପଡିଅଛି

       କାହ୍ନୁ ବାଟକୁ ନିରେଖି,

ଯଶୋଦା ମାଆର      ବାତ୍ସଲ୍ୟ ମମତା

       ଆଖି ନୀରେ ଯାଏ ଶୁଖି ॥

ନିଇତି ସଅଳେ      ରାଧାରାଣୀ ଭାଳେ

       ସଜାଇ ଗଭାରେ ଫୁଲ,

ଯମୁନା ଘାଟରେ       ମନ କୁଡିଆରେ

       ତୋଳିବ କାହ୍ନୁର ମୂଲ ॥

ଝୁରୁଛି ଯମୁନା        ଝୁରେ କୁଂଜବନ

       ଝୁରେ କଦମ୍ବର ଛାଇ,

ଶୁଶ୍କ ହିଆ ଧରି        ଯମୁନା ଚାହିଁଛି

       ରାଧାକୃଷ୍ଣ କେଳି ପାଇଁ ॥



Rate this content
Log in

Similar oriya poem from Romance