ଶୁଣରେ ଜନ୍ତୁରାଣ !
ଶୁଣରେ ଜନ୍ତୁରାଣ !
ଶ୍ରାବଣ ସରିଲା ଭାଦ୍ରବ ଆସିଲା
ଝପା ଝପା ଝଡ଼ି ବରଷା
ଦିନକୁ ଦୁଇ ତିନି ଥର ଢ଼ାଳି ଚାଲିଲା
ସବୁଆଡ଼େ ଉଦା ସନ୍ତସନ୍ତିଆ
ମାଟି ଶୁଖୁ ନାହିଁ
ଝର ପଡ଼ିଲାଣି ଲମ୍ବାଧାରିଆ
ଲୁଗା ଶୁଖୁ ନାହିଁ
ଗନ୍ଧଉଛି ଖାଲି ଉସୁମୁଳିଆ
ଫେନ୍ତି ଅପା ମୋର ଭାରି ଗପୁଡି
ଉପନ୍ୟାସ ପଢନ୍ତି
ପତ୍ରିକା ପାଇଁ ଲେଖନ୍ତି
ଗପ କବିତା ଧାଡି କି ଧାଡି
ଏ ବୋକୀ କାରୁବାକୀ
କାହିଁ ରାଗରେ ଗରଗର
ବର୍ଷା କ'ଣ ବର୍ଷୁଛି ନା ଗର୍ଜୁଛି
ସେ ପରା କହୁଛି
ଗୀତ ଗାଉଛି
ଟୁପୁର ଟାପୁର ସ୍ଵର ଝଙ୍କାର
ଆଉ ଶୁଣ !
ଯିଏ ଭିଜିଲା ତା' ମୁର୍ଛନାରେ
ପ୍ରେମରେ ପଡିଲା ଜାଣ
ଆଉ ଯିଏ ଉଦାହେଲା ତା' ଛିଟାରେ
ସ୍ମୃତିରେ ପ୍ଳାବିଲା ଜାଣ
ଆଉ ଯିଏ ତନ୍ତିଲା ତା' ଧାରାରେ
ପାଳିଲା କାମନା ବାଣ
ରହିଲା ରାଣ !
ଆଉ ଯିଏ ବାଲକୋନୀରେ ବସି
ଶୁଣି ପାରିଲା ମେଘ ମହ୍ଲାର
ବନ୍ୟାରେ ଉବୁଟୁବୁ ନଈ ପରି
କୂଳ ଲଙ୍ଘିଲା ଜାଣ
ଶୁଣରେ ଜନ୍ତୁରାଣ !
ଆଉ ଯିଏ ଛତା ତଳେ ଯାଉ ଯାଉ
ପଡ଼ର ପଡ଼ର ବାରି ପାତ ଖାଉ ଖାଉ
ଦେଖି ପାରିଲା ଭସା ବାଦଲର ଛାଇ
ପାହାଡ଼ ମେଘର କେଳି ଥେଇ ଥେଇ
ଭାବନାରେ ବୁଡିଲା ଜାଣ
ଶ୍ରାବଣୀ କକ୍ଷରେ ଘୂରିଲା ଜାଣ
ମୌସମୀ ଅକ୍ଷରେ ଉଡିଲା ଭଣ ଭଣ ।
