STORYMIRROR

Mahesweta Panigrahi

Inspirational

3  

Mahesweta Panigrahi

Inspirational

ଶୁଝି ଦିଅ ଏଇ ମୁହୂର୍ତ୍ତ।

ଶୁଝି ଦିଅ ଏଇ ମୁହୂର୍ତ୍ତ।

1 min
168

ବିଦେଶୀ ରୂପରେ ସ୍ୱଦେଶୀ ଚାଲୁଛି

ଦେହ ସାରା ତା'ର କ୍ଷତ,

ଇଛା ନାହିଁ ଜମା ଚାଲିବାକୁ କିନ୍ତୁ

ଚାଲେ ନେଇ ପର ମତ।


ଝୁଣ୍ଟି ପଡ଼ିଲାଣି ଚାଲୁ ଚାଲୁ ଏକା

ଧର ଯାଇ ଭାଇ ହାତ,

ହେଲାଣି ସତରେ ଖଣ୍ଡିଆ ଖାବରା

ଘୋଡେ଼ଇ ଦିଅ ପଣତ।


ଆଡ କର ନାହିଁ ମାଆ କୁ ତୁମର

ଚାଲିଯିବ ଯେ ମହତ,

ନିଜ ଭାଷା ଭୁଲି ବିଦେଶୀ କହିଲେ

କେମିତି ବଢେ ଇଜ୍ଜତ।


କୁଳବୃଦ୍ଧ ଯାହା କରି ଯାଇଥିଲେ

ତାଙ୍କ ପାଶେ ମଥା ନତ,

ପୂରୁବପୁରୁଷ ପୁରୁଣା ମହିମା

ମନରେ କର ଜାଗ୍ରତ।


ପର କି ନିଜର ହୋଇବ ସାଥିରେ

ମିଛ କି ହୋଇବ ସତ,

ନିଜ ରୂପ ଛାଡ଼ି ଅନ୍ୟ ବେଶ ନେଉ

ଗ୍ରୀଷ୍ମ ରେ ମିଳେ କି ଶୀତ।


ଜ୍ଞାନ ର ଭଣ୍ଡାର କି ହୋଇବ ତୋର

ମାତୃପ୍ରୀତି ହେଲେ ହତ,

ଉଗ୍ର ଆଧୁନିକ ହୋଇ କି ଲାଭ ରେ

ଛାଡ଼ି ଏ ଜୀବନ ବ୍ରତ।


ବଦଳି ଗଲାଣି କଥା ଭାଷା ତୋର

ଦେଖି ଲାଗେ ଆଚମ୍ବିତ,

ପୃଥିବୀ ରେ ସାର ଭାଷା ମୋ ସୁନ୍ଦର

ଶସ୍ୟଭରା ଯେହ୍ନେ କ୍ଷେତ।


ସ୍ବାର୍ଥ କୁ ସାରଥୀ କର ନାହିଁ ଆଉ

ଦୃଢ଼ କର ମନ ଚିତ୍ତ,

ଋଣ ଭାର ନେଇ ଯିବ କି ସଂସାରୁ

ଶୁଝି ଦିଅ ଏଇ ମୁହୂର୍ତ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational