ଶୁଦ୍ର ମୁନି ସାରଳା ଦାସ
ଶୁଦ୍ର ମୁନି ସାରଳା ଦାସ


ଆହେ ମହାକବି ପୂଜ୍ୟ ଶୁଦ୍ର ମୁନି
କାହିଁକି ପଡିଲ ଶୋଇ
ଝଙ୍କଡ଼ ବାସିନୀ ଝୁରୁଛି ତୁମେ ହେ
ସାରଳା ପୁତ୍ର ହରାଇ ।
ଦେବୀ କୃପା ବଳେ ଲେଖନୀ ତ ଚଳେ
ଏ କଥା ବୋଲିଛ ତୁଣ୍ଡେ
ଏତେ ମହାକାବ୍ୟ କେମିତି ରଚିଲ
କେଉଁଠୁ ଆସିଲା ମୁଣ୍ଡେ ।
ସର୍ବଦା ମଣିଛ ମୂଢ ମତି ଧାରୀ
ପୁଣି ବୋଲ ହୀନ ଜାତି
କେଉଁଠି ଦେଖିନି ଅପାରଗତାରେ
ବ୍ୟଥିତ ତୁମର ମତି ।
ସମଗ୍ର ଓଡ଼ିଶାବାସୀଙ୍କୁ କରିଛ
ଚମକ ଚକିତ ଦାନ
ଅପାର ପାଣ୍ଡିତ୍ୟ ଅର୍ଜନ କରିଛ
କଳ୍ପବଟ ଗାଏ ଗୁଣ ।
ଭକ୍ତି ପୁତ ମନେ ପୂଜିତ ସାରଳା
ପରମ ଭକତେ ଗଣା
ଛାନ୍ଦର ଝରଣା ତାଙ୍କରି କରୁଣା
ସତେ କି ଅମୃତ ପଣା ।
ଅନର୍ଗଳ ଭାଷା ଉତ୍କଳ ମାଟିରେ
ଢାଳି ଦେଲ ବର୍ଷା ପରି
ବ୍ରାହ୍ମଣ ବାଦର ପରମ୍ପରା ମଧ୍ୟେ
ତମେ ଋଦ୍ଧିମନ୍ତ ବାରି ।
ଅପଭ୍ରଂଶ ଭା
ଷା ଶୁଦ୍ଧ କରି ତୋଳି
ଦେଇଛ ସୁନ୍ଦର ରୂପ
ସେହି ରୂପ କାନ୍ତି ମହାକାବ୍ୟ ଜ୍ୟୋତି
ପଠନେ ଲିଭାଏ ପାପ ।
ଲେଖନୀ ମୁନରୁ ମହାଭାରତକୁ
ବାଢ଼ି ଦେଲ ଜନ ଗଣେ
ସଙ୍ଗେ ଉନ୍ମୋଚିତ ଶ୍ରୀ ଚଣ୍ଡି ପୁରାଣ
ଅପୂର୍ବ ଆନନ୍ଦ ମନେ ।
ଲକ୍ଷ୍ମୀ ନାରାୟଣ ବଚନିକା ସ୍ତୁତି
ଅତି ଭାବ ଝରା ମୋତି
ବିଲଙ୍କା ରାମାୟଣ କି ଅବା ବର୍ଣ୍ଣିବି
ଭରା ଲେଖନୀର ଦୀପ୍ତି ।
ପୁନର୍ବାର ଜନ୍ମି ଆସ ଧରାଧାମେ
ଏତିକି ମାଗୁଣି ମୋର
ଆଧୁନିକ କବ୍ୟେ ପାଏ ନାହିଁ ତୁମେ
ଲିଭାଇବ ଦୁଃଖ ଭାର ।
ପାଠକ ମନରେ ନାହିଁ ସେହି ଶ୍ରଦ୍ଧା
ପଠନ କରିବେ କାବ୍ୟ
ଛନ୍ଦ ଅଳଙ୍କାର ରସାତ୍ମକ ଭାବ
ତ୍ୟାଗରେ ବୋଲନ୍ତି ସଭ୍ୟ ।
ଜନସ୍ରୋତେ ଆଜି ପ୍ରେମର ପ୍ରଳାପ
ନାହିଁ ସେ ଲାଳିତ୍ୟ ଭଙ୍ଗି
ଧର୍ମ ଲୁଚି ଗଲା ଅଧର୍ମ ବଳରେ
ମନେ ନାହିଁ କର୍ମ ଯୋଗୀ ।