ଶୁଭୁ ନାହିଁ ଆଉ ମୁରଲୀ ସ୍ୱନ
ଶୁଭୁ ନାହିଁ ଆଉ ମୁରଲୀ ସ୍ୱନ
ବନେ ଧେନୁ ଚରାଇଲ ଗୋପ ପୁରେ
ଗୋପାଳ ସହିତ ମେଳି
ମଥାରେ ଖୋସିଲ ମୟୂର ଚନ୍ଦ୍ରିକା
ହାତରେ ଧରି ମୁରଲୀ
ମୁରଲୀ ବଜାଇ ତୋଳିଲ ମୂର୍ଚ୍ଛନା
ସାତ ସୂରେ ଲୟ ତୋଳି
ଶୁଷ୍କ ତରୁ ଡାଳ ହେଲା ପଲ୍ଲବିତ
ଜଳ ଉଠିଲା ଉଛୁଳି
ମୁରଲୀ ମୂର୍ଚ୍ଛନା ସଞ୍ଚାରିତ ହେଲା
ସମଗ୍ର ଗୋପ ପୁରରେ
ସମ୍ମୋହନ ହେଲେ ଗୋପୀ ଗୋପାଙ୍ଗନା
ଅଥୟ ହେଲେ ଚିତ୍ତରେ ।
ମୁରଲୀ ସ୍ଵନ ରେ ଯେବେ ଗୁଞ୍ଜରିତ
କୁଞ୍ଜବନ ରାସ ଦୋଳି
ଚିତ୍ତ ଚୋରି ହେଲା ଗୋପାଙ୍ଗନାଙ୍କର
ପ୍ରେମ ଉଠିଲା ଉଛୁଳି
କି କୁହୁକ ଥିଲା ମୁରଲୀ ସ୍ୱନ ରେ
ଗୋପ ବାଳୀ ହେଲେ ମେଳି
ସବୁ ଭୁଲି ରାଧା ମୁରଲୀଧାରୀ ଙ୍କୁ
ଦିବା ନିଶି ହେଲେ ଭାଳି
ଯେଉଁ ହାତେ ଧରି ମୁରଲୀ ବଜାଇ
ଜିଣି ହେଲା ଗୋପୀ ମନ
ସେ' ହାତରେ ଦିନେ ଗୋବର୍ଦ୍ଧନ ଟେକି
ରକ୍ଷା ହେଲା ଗୋପୀ ପ୍ରାଣ
ମୁରଲୀ ଧାରୀ ରୁ ଗୋବର୍ଦ୍ଧନ ଧାରୀ
ଜାଣିଲା ଗୋପ ନଗରୀ
ମନ ମୋହି ପୁଣି ଗର୍ବ ଖର୍ବ କରି
ପ୍ରିୟ ହୋଇଲେ ସବୁରି ।
ଗୋପପୁର ଭୁଲି ରହିଲେ କେଉଁଠି
ଶୁଭୁନି ମୁରଲୀ ସ୍ୱନ
ପ୍ରାୟ ନୀରବତା ଖେଳେ ଗୋପ ପୁରେ
ବାହୁନେ ରାଧାର ପ୍ରାଣ
ଯମୁନା ଘାଟରେ ଅବା କୁଞ୍ଜ ବନେ
ନାହିଁ ସେ ମୁରଲୀ ଧାରୀ
ନନ୍ଦ ଉଆସରେ ନାହିଁ କୋଳାହଳ
ଗୋପପୁର ହତଶିରି ।
ସୁଦର୍ଶନ ଧରି ଦୁଷ୍ଟଙ୍କୁ ସଂହାରି
ଉଦ୍ଧରି ଧରଣୀ ଭାର
ଧର୍ମ ରକ୍ଷା ଅର୍ଥେ ଦେଇ ଦିବ୍ୟ ଜ୍ଞାନ
ଗୀତା କରିଲ ପ୍ରଚାର
ଜପ ତପ ଧ୍ୟାନ ସହ ମୁନି ୠଷି
ମୁରଲୀ ଧାରୀ ଙ୍କୁ ଚିନ୍ତି
ସେହି ଦିବ୍ୟ ରୂପ ଦେଖି ବାକୁ ଥରେ
ଧ୍ୟାନେ ମଗ୍ନ ଦିନ ରାତି
ହେ ମୁରଲୀ ଧାରୀ କେତେ ରୂପ ଧରି
କଲ କେତେ ଖେଳା ଲୀଳା
କଳି କାଳ ଜାଣି ହେଲ ଦାରୁ ମୂର୍ତ୍ତି
ମୁହଁରେ ବୋଳିଛ କଳା
ଆଲିଙ୍ଗନ ମୁଦ୍ରା ସହିତରେ ରାଧା
ମୁରଲୀ ଧାରୀ ଙ୍କୁ ଘେରି
ଶ୍ରୀମୁଖ କଳା କୁ ଦେଖୁ ଅଛି ଭକ୍ତ
ରହସ୍ୟ ଅଟେ ଭିତିରି
ହେ ମୁରଲୀ ଧାରୀ ଭକ୍ତଙ୍କ ହିତରେ
ବାଜି ଉଠୁ ସେ ମୁରଲୀ
ମୁରଲୀ ସ୍ୱନ ରେ ମନ ଯାଉ ମୋହି
ଶ୍ରୀ ଚରଣେ ଏହି ଅଳି ।