ଶୁଭ ଦୀପାବଳୀ
ଶୁଭ ଦୀପାବଳୀ
ଶୁଣ ଶୁଣ ଭାଇ ଭଉଣୀ
ଏହି ଦୀପାବଳୀ ରେ ,
ଜାଳିବା ଦୀପ ଘରେ ଘରେ
ତେଜି ବିସ୍ଫୋଟକରେ ।
ପରିବେଶ ଏବେ ଦେଉଛି
ପରା ଚିନ୍ତା ବଢ଼ାଇ ,
ବାୟୁରୁ କମେ ଅମ୍ଳଜାନ
ନାନା ରୋଗ ବଢ଼ାଇ ।
ଗଛ ସଂଖ୍ଯା କମି ଗଲାଣି
କମି ଯାଏ ଜଙ୍ଗଲ ,
ଗାଡ଼ି କଳ ଧୂଆଁ ମିଶିକି
କରନ୍ତି କଲବଲ।
ଜୀବଜନ୍ତୁ ଯେତେ ଧରାରେ
ନିଶ୍ବାସେ ଅମ୍ଳଜାନ ,
ଗ୍ରହଣ କରନ୍ତି ବାୟୁରୁ
ବଞ୍ଚିବାକୁ ତକ୍ଷଣ ।
ସେହି ଅମ୍ଳଜାନ ଦିଅଇ
ପାଖରେ ଥିବା ଗଛ ,
ତାକୁ କାଟିବାନି ଯତନେ
ଲଗାଇବା ବହୁତ ।
ଗାଡ଼ି କଳ ଧୂଆଁ ସହିତ
ଯେତେ ଧୂଆଁ ଧରାରେ ,
ଆତସରୁ ଅବା ପରାଲୀ
ଯୋଗୁ ମିଶେ ବାୟୁରେ ।
ଅମ୍ଳଜାନ ସହ ମିଶିକି
ଯେବେ ଯାଏ ଦେହକୁ ,
ଆକ୍ରାନ୍ତ କରେ ସେ ନିଷ୍ଠୁରେ
ଆମ ଫୁସ୍ ଫୁସ କୁ।
ବାଣ ବଦଳରେ ଦୀପକୁ
ଆମେ ଦେବା ଜଳାଇ ,
ଅନ୍ଧାର ନାଶିକି ଆଲୋକେ
ହସି ଉଠିବ ମହୀ ।
ଆମ ମନର ଅନ୍ଧକାର
ଆମେ କରିବା ଦୂର ,
ଜ୍ଞାନର ଆଲୋକ ଜଳିଲେ
ଅଜ୍ଞତା ହେବ ଦୂର ।
ଶୁଭ ଦୀପାବଳୀ ଆଣିଛି
ସୁଯୋଗ ଆମ ପାଇଁ ,
ଜାଳିବା ଜ୍ଞାନର ଦୀପାଳୀ
ଅଜ୍ଞତା ନାଶ ପାଇଁ ।
ଆସ ଆସ ଭାଇ ଭଉଣୀ
ଆମେ ଏକାଠି ହୋଇ ,
ଆଲୋକର ପର୍ବ ପାଳିବା
ଜାଳି ଦୀପକୁ ନେଇ ।
