ଫଗୁ ଖେଳେ ଗୋପୀନାଥ
ଫଗୁ ଖେଳେ ଗୋପୀନାଥ
ଗୋପ ବୃନ୍ଦାବନେ ପଡ଼ିଛି ଚହଳ
ଆସିଛନ୍ତି ରାଧାକାନ୍ତ ,
ଗଛ ବୃକ୍ଷ ସବୁ ସଳଖି ଚାହାଁନ୍ତି
କାହିଁ ଗଲେ ନନ୍ଦସୁତ ,ଗୋ ସଜନୀ
ଫଗୁ ଖେଳେ ଗୋପୀନାଥ ।
ରଙ୍ଗ ପିଚକାରୀ ହାତରେ ସେ ଧରି
ଚାହୁଁଛନ୍ତି ଆଗପଛ ,ଗୋ ସଜନୀ,
ଫଗୁ ଖେଳେ ଗୋପୀନାଥ ।
ରାଧାଙ୍କ କାନରେ ଫୁଙ୍କି କେ ଦେଇଛି
ଆସିଛନ୍ତି ବୋଲି ନଟ ,
ବିରହିଣୀ ରାଧା ପାଗେଳି ପରାୟେ
ଯାଏଖୋଲି ପିନ୍ଧାବାସ,ଗୋ ସଜନୀ ,
ମନ ହେଉଛି ଉଚ୍ଚାଟ ।
ଦେଖିବାର ପାଇଁ ଧାଉଁଛି ଯେସନେ
ବଳ ତାହାର ଅମାପ,ଗୋ ସଜନୀ ,
ଫଗୁ ଖେଳେ ଗୋପୀନାଥ ।
ଲଳିତା ବିଶାଖା ଧାଆନ୍ତି ପଛରେ
ବୃଷଭାନୁ ସୁତା ପାଶ ,
ଗୋପ ଗୋପାଳୁଣୀ ଡକା ପାରୁଛନ୍ତି
ଯମୁନା କୂଳକୁ ଦେଖ ,ଗୋ ସଜନୀ ,
କୃଷ୍ଣମୟ ପରିବେଶ ।
ଅବିର ହାତରେ ଧରି ଗୋପୀଗଣ
କାହ୍ନାପାଶରେ ଏକତ୍ର ,ଗୋ ସଜନୀ ,
ଫଗୁ ଖେଳେ ଗୋପୀନାଥ ।
ରାଧାଙ୍କୁ ଦେଖିଣ ସେ କଳା କହ୍ନେଇ
ଡାକନ୍ତି ପ୍ରସାରି ହସ୍ତ ,
ଗୋପୀଗଣ ଅବିର ଥାଳିକୁ ଦେଲେ
ରାଧାଙ୍କ ମୁଖରେ ହସ ,ଗୋ ସଜନୀ ,
ଆଃ,କି ସୁନ୍ଦର ଦିବ୍ଯରୂପ ।
ରାଧାଛନ୍ତି ଚାହିଁ ନଟ ହସେ ରହି
ବଡ଼ ଦୁର୍ଲ୍ଲଭ ଏ ଦୃଶ୍ଯ ,ଗୋ ସଜନୀ ,
ଫଗୁ ଖେଳେ ଗୋପୀନାଥ ।
ବଳିଆ ସାଥିରେ ସୁଭଦ୍ରା ଭଉଣୀ
ଦେଖଇ ଧରିକି ହାତ ,
ଭାଇ କହୁଥିଲା ଯେଉଁ ରାଧା କଥା
ସେହି ରାଧା ବୋଧେ ଏତ,ଗୋସଜନୀ ,
ରାଧା କୃଷ୍ଣ ନାମ ଶ୍ରେଷ୍ଠ ।
ଏ ସାରା ସଂସାର ରାଧା କୃଷ୍ଣ ମୟ
କହଇ ତରୁଣ ମିଶ୍ର ,ଗୋ ସଜନୀ,
ଫଗୁ ଖେଳେ ଗୋପୀନାଥ ।