ଶୁଆ-ପାରା
ଶୁଆ-ପାରା
ମୁକୁଟ ଲାଗିଛି ମଥାରେ ତାହାର ସୁନାରଙ୍ଗ ହାର ବେକରେ,
କଳା ହଳଦିଆ ଗୋଲାପୀ ସବୁଜ ଗାର ପଡ଼ିଛି ତା'ଦେହରେ ।
ଡେଣା ଝାଡ଼ିଝାଡ଼ି ଆସିଲା ସେ ଉଡ଼ି ବସିଗଲା ଛାତ ଉପରେ,
ପଚାଶ ଷାଠିଏ ପାରା ଖାଉଥିଲେ ଉଡ଼ି ପଳାଇଲେ ଭୟରେ ।
କିଏ ସେ ଚାହିଁଲା ଦୂରେ ବସି ତାକୁ କିଏ ଚଙ୍ଗଚଙ୍ଗ ହୋଇଲା,
ଆଉ କିଏ ପୁଣି ଜୀବନ ବିକଳେ ନିଜ ବସା ଆଡ଼େ ଧାଇଁଲା ।
ଡେଣାଭଙ୍ଗା ପାରା ଉଡ଼ି ପାରିଲାନି ବସିଲା ସେମିତି ସେଇଠି,
ଧୀରେ ଧୀରେ ସିଏ ତା' ପାଖକୁ ଗଲା ଶୁଆ ବସିଥିଲା ଯେଉଁଠି ।
ସୁନ୍ଦରୀ ଶୁଆ ସେ ମଥାକୁ ହଲେଇ ଖୁଣ୍ଟି ଖାଉଥିଲା ଚାଉଳ,
ଛୋଟ ପାରାଟିଏ ତା' ପାଖକୁ ଲାଗି କହିଲା ତୁ ମୋର ବଉଳ ।
ସାଥିହୋଇ ଆମେ ରହିବା ବସାରେ ତୋତେ ରାଣୀ କରି ରଖିବି,
ଗହମ ଚାଉଳ ଖାଇବାକୁ ଦେଇ ଦିନରାତି ଖାଲି ଦେଖିବି ।
ପେଟେ ଖାଇସାରି ଚତୁରୀ ଶୁଆଟି ଉଡ଼ିଗଲା ତା'ର ବାଟରେ,
ଛୋଟା ପାରା ତାକୁ ଝୁରି ହେଉଥିଲା ଏକା ଏକା ବସି ଛାତରେ ।

