ଶରତର କାଶତଣ୍ଡୀ
ଶରତର କାଶତଣ୍ଡୀ
ଏମିତି ଦିନେ ମୁଁ ବିଚରୁ ଥିଲି
ଉଦ୍ଦେଶ୍ଯ ହୀନ ଶସ୍ୟ ଶ୍ୟାମଳ ପଥରେ,
ଯେପରି ମେଘମାଳ ଘୂରୁଥାନ୍ତି
ନଭ, ଉଚ୍ଚଗିରି, ଉପତ୍ୟକା ଉପରେ ।
ହଠାତ୍ ଦୃଷ୍ଟି ମୋ ପଡ଼ିଲା ଦଳେ
ଶରତ କାଶତଣ୍ଡୀ ପାରଦ ଧୌତରେ,
ଥାଆନ୍ତି ନଦୀପାର୍ଶ୍ଵ ବୃକ୍ଷ ତଳେ
ନାଚୁଥାଆନ୍ତି ସତେ ଶୀତଳ ସମୀରେ ।
ନିରନ୍ତରେ ଝଲସେ କାଶତଣ୍ଡୀ
ଯେହ୍ନେ ତାରକା ଚମକେ ମହାକାଶରେ,
ସେମାନେ ବିସ୍ତରି ଥିଲେ ଏପରି
ନାହିଁ ଶେଷ ତାଙ୍କରି ନଦୀ ଧାରେ ଧାରେ ।
ସୁବାସହୀନ ହୋଇଥିଲେ ସୁଦ୍ଧା
ପଟ୍ଟାନ୍ତର ନାହିଁ ତା' ରୂପ ସୌନ୍ଦର୍ଯ୍ୟର,
ହସ ହସ ବଦନରେ ଆନନ୍ଦ
ମନରେ ଢ଼ାଳଇ ଦେଖଣାହାରୀଙ୍କର ।
ପୁଣି ଯେବେ ଆଖି ଫେରାଇ ଦେଖେ
ପତିତ ହେଲା ଥିଲେ ହଜାର ହଜାର,
ତରଙ୍ଗ ସହ ମହା ଆନନ୍ଦରେ
ମୁଣ୍ଡ ହଲାଉଥିଲେ ଜୀବନ୍ତ ଭାବର ।
ସେମାନଙ୍କୁ ମୁଁ ଚାହିଁରହିଥିଲି
ମୁଗ୍ଧ ହେବା ଛଡା କିଛି କରିନଥିଲି,
ମନରେ ମନରେ ବିଚାରୁଥିଲି
ଆହାଃ! ସତେ କି' ଅପାର ଖୁସି ଲଭିଲି ।
ଧନ୍ୟ ଧନ୍ୟ ତୁହି ରେ କାଶତଣ୍ଡୀ
ମର୍ତ୍ତ୍ୟରେ ଜନମୀ ଶୋଭା ପାଉଛୁ ତୁହି,
ଆଶ୍ଚର୍ଯ୍ୟ ମନକୁ ପଚାରୁ ଥାଇ
କି! ସୁନ୍ଦର କରି ତାକୁ ଗଢ଼ିଛି ବିହି ।
ବାଧ୍ୟରେ ଶେଷେ ଗୃହମୂଖ ହେଲି
ପଲଙ୍କରେ ଶୟନ କରିଲି କ୍ଳାନ୍ତରେ,
ସ୍ଵପ୍ନ ନିଦ୍ରାରେ ଚିତ୍ର ତା'ର ଦେଖି
କଷ୍ଟ ଭୁଲି, ନାଚି ଉଠିଲି ତା' ସଙ୍ଗରେ ।
