ଶରତ ସୁନ୍ଦରୀକାଶତଣ୍ଡୀ, ଶେଫାଳୀ
ଶରତ ସୁନ୍ଦରୀକାଶତଣ୍ଡୀ, ଶେଫାଳୀ
ଶରତ ସକାଳେ ଶିଶିର ବୁନ୍ଦାରେ
ଝଲସି ଉଠଇ ଧରଣୀ ରାଣୀ ,
ଶୁଭ୍ର କାଶତଣ୍ଡୀ ମଳୟେ ଦୋହଲି
ଆମନ୍ତ୍ରଣ କରେ ଅପାଙ୍ଗ ହାଣି।
ଶୁଭ୍ରାଙ୍ଗୀ ସୁନ୍ଦରୀ କ୍ଷୀଣାଙ୍ଗୀ ଅପ୍ସରୀ
ଅଇଲେ ଶରତ କି ଶୋଭା ଦିଶେ ,
ଧରଣୀ ରାଣୀର ଛବି ବଦଳାଇ
ମରତେ ରେଶମୀ ଚାମର ହସେ ।
ବିଲ, ବାଡ଼ି ,ପାଟ ନଈପଠା ଧାର
କାଶତଣ୍ଡୀ ଫୁଲେ ହସି ଉଠଇ ,
ଦେବୀ ଆଗମନେ ସ୍ଵାଗତ ଜଣାଇ
ଚାରୁ ଶୁଭ୍ର ଅଙ୍ଗୀ ପ୍ରୀତି ଢାଳଇ।
ପାଣି ଫୋଟକାର ସ୍ୱଳ୍ପ ଜୀବନରେ
ଶିକ୍ଷା ଦେଇଯାଏ ଶେଫାଳୀ ରାଣୀ ,
ଶରତ ସୁବାସ ମହକେ ମହକି
ଶୁଭ୍ର ସକାଳରେ ପତିତ ପୁଣି ।
ଶୀତ ଆସିଗଲେ ସରମି ଲାଜରେ
ଶୁଭ୍ର କାଶତଣ୍ଡୀ ବିଦାୟ ନିଏ ,
ଶରତ ସୁନ୍ଦରୀ ଏହି ଦୁଇ ପରୀ
ସ୍ଵଳ୍ପ ଆୟୁ ମୂଲ୍ୟ ଶିକ୍ଷାଟି ଦିଏ ।
ଶରତ ସମ୍ଭାରେ ମଣ୍ଡପ ଉପରେ
ପୂଜନ୍ତି ମୃଣ୍ମୟୀ ବିଶ୍ୱ ଜନନୀ ,
ଅନ୍ୟାୟ ଉପରେ ନ୍ୟାୟର ବିଜୟ
ଶାରଦୀୟ ବାର୍ତ୍ତା ଦ୍ୟ'ନ୍ତି ଭବାନୀ ।