ଶରତ ରାତିର ଦୃଶ୍ୟ
ଶରତ ରାତିର ଦୃଶ୍ୟ
ସଞ୍ଜ ନଇଁଗଲା ଶେଫାଳୀ ହସିଲା
ଆକାଶେ ହସିଲା ଜହ୍ନ
ସରୋବରେ ଦେଖ ନୀଳକଇଁ ଟିଏ
ଡାକେ ଆସ ପ୍ରିୟତମ I
କାକର ଶେଯରେ ରାତି ଶୋଇପଡେ
ସପନ ଶେଯରେ ଆଖି
ଯାତନା ନଈରେ ପ୍ରେମ ଜଳୁଥାଏ
ଶ୍ମଶାନକୁ ରଖି ସାକ୍ଷୀ I
ବହଳ ଅନ୍ଧାରେ ପେଚାର କୁହାଟ
ଶୁଭୁଥାଏ କାହିଁ ଦୂରେ
ଶରତର ଛୁଆଁ ଉଚ୍ଚାଟ କରଇ
ଦେହେ ଶୀହରଣ ଭରେ I
ରଜନୀଗନ୍ଧାର ସୁବାସ ଛୁଟଇ
ରାତିର ବୟସ ହଜେ
ଆକାଶରେ ମେଘ ଅଭିସାର ରଚେ
ମୁହଁକୁ ଲୁଚାଇ ଲାଜେ I
