ଶରତ ପ୍ରବେଶେ
ଶରତ ପ୍ରବେଶେ
ବର୍ଷା ଅବଶେଷେ ଶରତ ପ୍ରବେଶେ
ହଜି ଯାଏ ମେଘ ମାଳ
ଶିଶିର ବିନ୍ଦୁରେ ଧରଣୀ ଚମକେ
ମୁକ୍ତା ସମ ଝଲ ମଲ ।
ନଦୀ ପଠା ଧାରେ ବିସ୍ତୀର୍ଣ୍ଣ ପ୍ରାନ୍ତରେ
ଶୁଭ୍ର ଢେଉ ଢଳ ଢଳ
କାଶତଣ୍ଡୀ ଶୋଭା ଅତି ମନଲୋଭା
ମଜ୍ଜି ଯାଏ କବି କୁଳ ।
ଜଗତ ଜନନୀ ଦୁର୍ଗତି ନାଶିନୀ
ବିଭୂଷିତ ନାନା ଅସ୍ତ୍ରେ
ଅଧର୍ମ ନାଶିବେ ଦୁଷ୍ଟ ସଂହାରିବେ
ଅବତାର ନେଇ ମର୍ତ୍ତ୍ୟେ ।
ଆନନ୍ଦ ଉଲ୍ଲାସେ ଏ ଧରଣୀ ହସେ
କୋଳେ ପାଇ ଦୁର୍ଗା ମାତା
ଗଗନ ପବନ ହୁଏ ଗୁଞ୍ଜରଣ
ଶାନ୍ତିର ମୃଦୁ ବାରତା ।
ରଖି ସ୍ଵାଭିମାନ କରଇ ଦହନ
ଶରୀରେ ଥିବା ରାବଣ
ସୁବର୍ଣ୍ଣ ପରାୟେ ନିଜେ ଶୁଦ୍ଧ ହୁଏ
ଧର୍ମମୟ ହୁଏ ପ୍ରାଣ ।
ମାତା ଆଗମନେ ହସେ ତରୁ ତୃଣେ
ନାନା ପୁଷ୍ପ ବିକଶିତ
ସଜାଇ ଦିଅନ୍ତି ଅଚିରେ ମୋହନ୍ତି
ମାତୃଭୂମି ମାତୃ ଚିତ୍ତ ।
ଶରତ ନିଶିରେ ଦୂର ଆକାଶରେ
ଶୁଭ୍ର ଜ୍ୟୋତ୍ସ୍ନା ବୁଣି ଦେଇ
ଅଭ୍ୟର୍ଥନା ଦିଏ ଚନ୍ଦ୍ରମା ସେଠାରେ
ମାତା ଆଗମନ ପାଇଁ ।
ଶାରଦ ଜହ୍ନରେ କୁଆଁରୀ ମନରେ
ଅପୂର୍ବ ଆନନ୍ଦ ରଚି
ତୋଳି କଇଁ ଫୁଲ ତୋଳଇ ନଅର
ରାତ୍ରି ସାରା ଖେଳି ପୁଚି ।
କୁମାର ପୂର୍ଣ୍ଣିମା ପାଳେ ନଗ୍ର ଭାମା
ସୂର୍ଯ୍ୟଙ୍କୁ ଦେଇ ଆଞ୍ଜୁଳି
ଗନ୍ଧର୍ବଙ୍କୁ ପୂଜେ ସାଥୀଟିଏ ହେଜେ
ସୌନ୍ଦର୍ଯ୍ୟେ କନ୍ଦର୍ପ ଭଳି ।
ଆମ ଏ ସଂସ୍କୃତି ଅପରେ ପ୍ରକୃତି
ପୂଜନେ ବିଭିନ୍ନ ପ୍ରଥା
କାହିଁ କେଉଁ କାଳୁ ପାଳୁଛି ମାନବ
ନୁଆଁଇ ଦେଇ ତା' ମଥା ।
