STORYMIRROR

Kalandi pal

Inspirational

4  

Kalandi pal

Inspirational

ଶରତ ପ୍ରବେଶେ

ଶରତ ପ୍ରବେଶେ

1 min
251


ବର୍ଷା ଅବଶେଷେ   ଶରତ ପ୍ରବେଶେ

     ହଜି ଯାଏ ମେଘ ମାଳ

ଶିଶିର ବିନ୍ଦୁରେ    ଧରଣୀ ଚମକେ

     ମୁକ୍ତା ସମ ଝଲ ମଲ ।


ନଦୀ ପଠା ଧାରେ  ବିସ୍ତୀର୍ଣ୍ଣ ପ୍ରାନ୍ତରେ

     ଶୁଭ୍ର ଢେଉ ଢଳ ଢଳ

କାଶତଣ୍ଡୀ ଶୋଭା   ଅତି ମନଲୋଭା

    ମଜ୍ଜି ଯାଏ କବି କୁଳ ।


ଜଗତ ଜନନୀ     ଦୁର୍ଗତି ନାଶିନୀ

      ବିଭୂଷିତ ନାନା ଅସ୍ତ୍ରେ

ଅଧର୍ମ ନାଶିବେ   ଦୁଷ୍ଟ ସଂହାରିବେ

     ଅବତାର ନେଇ ମର୍ତ୍ତ୍ୟେ ।


ଆନନ୍ଦ ଉଲ୍ଲାସେ  ଏ ଧରଣୀ ହସେ

    କୋଳେ ପାଇ ଦୁର୍ଗା ମାତା

ଗଗନ ପବନ      ହୁଏ ଗୁଞ୍ଜରଣ

     ଶାନ୍ତିର ମୃଦୁ ବାରତା ।


ରଖି ସ୍ଵାଭିମାନ     କରଇ ଦହନ

     ଶରୀରେ ଥିବା ରାବଣ

ସୁବର୍ଣ୍ଣ ପରାୟେ   ନିଜେ ଶୁଦ୍ଧ ହୁଏ

     ଧର୍ମମୟ ହୁଏ ପ୍ରାଣ ।


ମାତା ଆଗମନେ ହସେ ତରୁ ତୃଣେ

     ନାନା ପୁଷ୍ପ ବିକଶିତ

ସଜାଇ ଦିଅନ୍ତି   ଅଚିରେ ମୋହନ୍ତି

     ମାତୃଭୂମି ମାତୃ ଚିତ୍ତ ।


ଶରତ ନିଶିରେ   ଦୂର ଆକାଶରେ

    ଶୁଭ୍ର ଜ୍ୟୋତ୍ସ୍ନା ବୁଣି ଦେଇ

ଅଭ୍ୟର୍ଥନା ଦିଏ  ଚନ୍ଦ୍ରମା ସେଠାରେ

    ମାତା ଆଗମନ ପାଇଁ ।


ଶାରଦ ଜହ୍ନରେ   କୁଆଁରୀ ମନରେ

     ଅପୂର୍ବ ଆନନ୍ଦ ରଚି

ତୋଳି କଇଁ ଫୁଲ ତୋଳଇ ନଅର

     ରାତ୍ରି ସାରା ଖେଳି ପୁଚି ।


କୁମାର ପୂର୍ଣ୍ଣିମା  ପାଳେ ନଗ୍ର ଭାମା

    ସୂର୍ଯ୍ୟଙ୍କୁ ଦେଇ ଆଞ୍ଜୁଳି

ଗନ୍ଧର୍ବଙ୍କୁ ପୂଜେ  ସାଥୀଟିଏ ହେଜେ

    ସୌନ୍ଦର୍ଯ୍ୟେ କନ୍ଦର୍ପ ଭଳି ।


ଆମ ଏ ସଂସ୍କୃତି   ଅପରେ ପ୍ରକୃତି

     ପୂଜନେ ବିଭିନ୍ନ ପ୍ରଥା

କାହିଁ କେଉଁ କାଳୁ   ପାଳୁଛି ମାନବ

    ନୁଆଁଇ ଦେଇ ତା' ମଥା ।



Rate this content
Log in

Similar oriya poem from Inspirational