ଶୃଙ୍ଖଳିତ ଜୀବନ
ଶୃଙ୍ଖଳିତ ଜୀବନ
ନୀରବେ ନିଶବ୍ଦେ ଲୁହ ଝରୁଥାଏ
କ୍ଷୀଣ ପ୍ରତିବାଦ ସ୍ବର,
ସବଳ ଉପରେ ଦୁର୍ବଳର ସଦା
ଲାଗିଥାଏ ଅତ୍ୟାଚାର,
ଏ ନୁହେଁ ବିଚାର ତା'ର
ବିବେକ ଥାଇ ବି କିଏ ଅବିବେକୀ
ପାଉନି ଖୋଜି ଉତ୍ତର ।।
ବନ୍ଧା ଏଠି ସର୍ବେ କିଛି ଧାଡି ମଧ୍ୟେ
ଖୁସି ଆନନ୍ଦର ପାଇଁ,
କଥାକୁ ଅକଥା ବାଟକୁ ଅବାଟ
କଲେ ବିଭ୍ରାଟ ହୁଅଇ,
ବିଶୃଙ୍ଖଳା ଉପୁଜଇ
ଶାନ୍ତି ଆନନ୍ଦରେ ସମୟ ନିର୍ବାହ
କୁହ କିଏ ଚାହେଁ ନାହିଁ ।।
ଆଦର ସରାଗ ସେନେହ ମମତା
ଆକଟ ଭଲ ମନ୍ଦର,
ଶିକ୍ଷା ଓ ସଂସ୍କୃତି, ସଂସ୍କାର ସଂସାରେ
ସାହାରା ଏ ମଣିଷର,
ବଳ,ବୟସ,ଗର୍ବ, ଅହଙ୍କାର
ଶୃଙ୍ଖଳିତ ଜୀବନଟି ଅସଜଡା
ଦୋଷ ପୁଣି ସମୟର ।।
କଞ୍ଚା ମାଟି ପିଣ୍ଡୁଳାରୁ ଜ୍ୟୋତିଟିଏ
ଆସେ ଉତ୍ତମ ଗଠନେ,
ନରମ କୋମଳ ମନଟିଏ ସଦା
ବଢେ ଆଦର ଯତନେ,
ଶୃଙ୍ଖଳିତ ଯେ ଜୀବନେ
ଅପୂର୍ଣ୍ଣ ମସ୍ତିଷ୍କ ଧରି ନିଏ ଯାହା
ଶୁଣେ ଦେଖେ ନେତ୍ରେ କର୍ଣ୍ଣେ ।।
ସହନଶୀଳତା, ଧୈର୍ଯ୍ୟ, ସେବା,ଗୁଣ
ଗପ ଛଳେ ମାଆ ତୁଣ୍ଡରୁ,
ଆଦେଶ ଦିଅନ୍ତି ସମୟାନୁବର୍ତ୍ତିତା
ଶିଖେ ମୁଁ ବିଦ୍ୟାଳୟରୁ ,
ଗୁରୁ ଗୁରୁଜନଙ୍କଠାରୁ
ଶୃଙ୍ଖଳିତ ଆଚରଣ ବ୍ୟବହାର
ଜନ ସ୍ନେହୀ ସବୁଠାରୁ।
ବିଭୁଙ୍କ ସୃଷ୍ଟିରେ ଶ୍ରେଷ୍ଠ ପ୍ରାଣୀ ଆମେ
ମଣିଷ ଜନମ ପାଇ,
ସ୍ବଛତା, ଶୃଙ୍ଖଳା କରି ଅଳଙ୍କାର
ଜୀବନକୁ ବାହି ନେଇ,
କୋଟିରୁ ଗୋଟିଏ ହୋଇ
ଶିକ୍ଷା ସଂସ୍କାର ଆଚାର ବିଚାର
ସଫଳତା ମିଳିଥାଇ ।
