ଶ୍ରମିକ
ଶ୍ରମିକ
କି ବାଆ ବତାସ
କାଳ ବୈଶାଖୀର ରୋଷ
ବେଖାତିର କରୁଥା'ନ୍ତି ଶ୍ରମିକ
ହୃଦୟରେ ଦମ୍ଭ
ସ୍ୱାବଲମ୍ବୀ ଭାବ
ମନ ସାଗରରୁ ମୁକୁତା ଛାଣନ୍ତି
ସେ ତ
କ୍ଷମତା ବଳରେ ଅସାଧ୍ୟ ସାଧନ୍ତି ।
କୁତ୍ସିତ ଭାବନା
ଅସଭ୍ୟ ଭର୍ତ୍ସନା
ଅଙ୍ଗେ ମାରି ସବୁ ସହନ୍ତି ଶ୍ରମିକ
ସର୍ତ୍ତରେ ଦୃଢତା
ସମୟାନୁବର୍ତ୍ତିତା
କାର୍ଯ୍ୟର ସହରେ ନିଜ ଐଶ୍ୱର୍ଯ୍ୟ ବୁଣନ୍ତି
ସେ ତ
ପ୍ରତି ମୁହୂର୍ତ୍ତକୁ ମାଣିକ୍ୟ ମଣନ୍ତି।
କାୟାର କଷଣ
ପୁଞ୍ଜିପତିଙ୍କ ଶୋଷଣ
ପାଦରେ ଏଡେଇ ଦିଅନ୍ତି ଶ୍ରମିକ
ପରିଶ୍ରମ ବଳେ
ଆଗ୍ରହ ବଳୟେ
କରମକୁ ସଦା ଈଶ୍ୱର ଭାବନ୍ତି
ସେ ତ
ବାହୁ ବଳେ ଲକ୍ଷେ କୋଣାର୍କ ଗଢନ୍ତି।
ଅର୍ଥର ଅଭାବ
ଆଶାର ପ୍ରଭାବ
ଅଣଦେଖା କରୁଥାନ୍ତି ଶ୍ରମିକ
କର୍ମରେ ସୌନ୍ଦର୍ଯ୍ୟ
ବଚନେ ମାଧୁର୍ଯ୍ୟ
ସଦାଚରଣରେ ମନକୁ ହରନ୍ତି
ସେ ତ
ଶ୍ରମର ରାଇଜେ ରାଜୁତି କରନ୍ତି।