ଶ୍ରମିକ ରକ୍ତରେ ଏଦେଶ ଗଢ଼ା
ଶ୍ରମିକ ରକ୍ତରେ ଏଦେଶ ଗଢ଼ା
ଶ୍ରମିକ ଭାଇ ସେ ଲାଗିଥାଏ କର୍ମେ
ଶ୍ରମ ଅଟେ ତାର ପୂଜା,
ଛୋଟ ବଡ଼ ଯେତେ ବସ୍ତୁ ଦେଖୁଅଛ
ତାଙ୍କରି ସ୍ବେଦ ରେ ଭିଜା ।
ଛୁଞ୍ଚି ଟିଏ ଠାରୁ ଜାହାଜ ପର୍ଯ୍ୟନ୍ତ
ଯେତେ ସବୁ ବସ୍ତୁ ମାନ,
କଳକାରଖାନା ଆଉ ବନ୍ଧବାଡ଼
ତାଙ୍କରି ଶ୍ରମର ଦାନ ।
ସ୍ଥପତି ଶିଳ୍ପୀ ଓ ମୁଲିଆ ବି ସେହି
ସେହି ଅଟେ କାରିଗର
ତାଙ୍କ ରି ହାତେ ଗଢ଼ା ହୋଇଛି
କୋଠା ଗଡ଼ ଓ ମନ୍ଦିର ।
କାରଖାନା ହେଉ ଅବା ଖଣି ହେଉ
ହେଉ ଅବା ଧାନ ବିଲ,
କେଉଁ କାମ କୁ ଡରନ୍ତି ବି ନାହିଁ
ପାଉଣା କେବଳ ମୂଲ ।
ହତିଆରତାଙ୍କ ଦାଆ ଓ ହାତୁଡି
ଶାବଳ କୁରାଢ଼ୀ ଆଦି,
ମାଲିକ ପାଇଁକି ଖଟୁ ଥାନ୍ତି ନିତି
ଲହୁ ଓ ଲୁହରେ ଭେଦି ।
କୋଣାର୍କର କଳା ଓ ତାଜ ମହଲ
ସବୁ ତ ତାଙ୍କରି ଦାନ,
ହୀରାକୁଦ ବନ୍ଧ ବାରବାଟୀ ଦୁର୍ଗ
ସବୁଥିରେ ଯୋଗଦାନ ।
ପର ପାଇଁ ଅଟ୍ଟାଳିକା ଗଢି ସିଏ
ନିଜେ କୁଡ଼ିଆରେ ରହେ,
ଅନ୍ୟ ପାଇଁ ଖାଦ୍ୟ ଯୋଗାଇ ଦେଇସେ
ଖାଲି ପେଟେ ଶୋଇଯାଏ ।
ସହି ବର୍ଷା ଖରା ଶୀତ କାକରକୁ
ଲାଗିଥାନ୍ତି ସେତ କାମେ
ତାଙ୍କ ଯୋଗୁଁ ସିନା ଉନ୍ନତି କରୁଛି
ଦେଶ ଆମ ସର୍ବ ସ୍ଥାନେ ।
ତାଙ୍କଦୁଃଖ କୁ ଅର୍ଥ ଅଣ୍ଟେ ନାହିଁ
ଅଭାବି ଜୀବନ ମାଡ଼,
କିଏସେ ବୁଝିବ ନ୍ୟାୟ ଦେବ କୁହ
ସମାଜେ ମାଲିକ ବଡ଼ ।
ଆଖିର ଲୁହ ତା ଚିରଦିନ ସାଥି
ଛାତିରେ ଛାତିଏ କୋହ,
ସତେ ଭଗବାନ ଡାକ ତା ଶୁଣିବେ
ମିଳିବ ସମାଜେ ନ୍ୟାୟ ।
