ଶରୀର ରଥ
ଶରୀର ରଥ
ଗଡୁଛି ଦେଖ ଶରୀର ରଥ
ଦୁଇଟି ଚକ ତାର
କେତେ ଉଠାଣି କେତେ ଗଡାଣି
ଜୀବନ କରେ ପାର ।।
ପଞ୍ଚ ଇନ୍ଦ୍ରିୟ ଅଶ୍ଵ ପରାୟ
ଖଞ୍ଜିଛି ପରା ବିହି
ଜୀବନ ରଥି ମନ ସାରଥୀ
ଅମଡ଼ା ନିଏ ବାହି ।।
ବିବେକ ଥାଏ ଲଗାମ ପ୍ରାୟେ
ବତାଏ ଭଲ ବାଟ
ଭଲ ବାଟରେ ରଥ ନ ଗଲେ
ବାଜେ ଦଇବ ଛାଟ ।।
ଅବୋଲ କରା ସାରଥୀ ପରା
ଗତି ବିଜୁଳି ପରି
ଯେତେ ଚାହିଁଲେ ରଥି ଏଠାରେ
ପାରେନି ବଶ କରି ।।
ଦଉଡେ ଘୋଡ଼ା ନିତି ଅମଡ଼ା
ମାନେନି ବନ୍ଧ ବାଡ
ଲଗାମ ମୁହେଁ କାମ ନ ଦିଏ
ଅସହ୍ୟ ତାର ତୋଡ ।।
ଜାଣିଛି ଯିଏ ଲଗାମ ଟିଏ
ହାତରେ ଧରେ ଭିଡ଼ି
ସଂସାରେ ସିଏ ମଣିଷ ଟିଏ
ଚଢ଼େ ସଫଳ ଶିଡ଼ି ।।