ଶରୀର ବୃକ୍ଷରେ ଦୁଇଟି ପକ୍ଷୀ
ଶରୀର ବୃକ୍ଷରେ ଦୁଇଟି ପକ୍ଷୀ
ଅଜର ଅମର ଆତ୍ମା ପରମାତ୍ମା
ଶରୀର ବୃକ୍ଷରେ ଦୁଇଟି ପକ୍ଷୀ
ପ୍ରତି ମୁହୂର୍ତ୍ତରେ ପ୍ରତି ଚେତନର
କର୍ମ ପାଇଁ ରହିଥାଆନ୍ତି ସାକ୍ଷୀ ।
ମନପକ୍ଷୀ ବଶ ହଲେ ଜ୍ଞାନ ନାଶ
ସତ୍ କରମଟା ରହଇ ଦୂରେ
ପରମଆନନ୍ଦ ରୂପଟି ବିବେକ
ପରଶରେ ଦେହୀ ସୁମାର୍ଗ ଧରେ ।
ଜଣେ ଛାଡ଼ିଯାଏ ନର୍କଭୋଗ ପାଇଁ
ଦେହ ପଞ୍ଚଭୂତେ ହେଲେ ବି ଲୀନ
ଧରି ଅନ୍ୟ ରୂପ ଆସିଥାଏ ଫେରି
ଭୋଗ କରିବାକୁ କରମମାନ ।
ଗୃହୀ ସନ୍ନ୍ୟାସୀକୁ ଭରି ସଦଜ୍ଞାନ
ଜଣେ ମୁକ୍ତିପଥେ ନିଏ ଉଡ଼ାଇ
ମୋକ୍ଷ ଗତିପ୍ରାପ୍ତ ନ କଲା ପର୍ଯ୍ୟନ୍ତ
ଧାର୍ମିକ ଗୃହରେ ଜନମି ଥାଇ ।
ହୁଅଇ ଉତ୍ପନ୍ନ ସୁମିଷ୍ଟ ସ୍ବାଦିଷ୍ଟ
ଅସୁମାରି ଫଳ ସେହି ବୃକ୍ଷରେ
ନିଜେ ନ ଭୁଞ୍ଜଇ ଅପରେ ଭୁଞ୍ଜାଇ
ତୃପ୍ତି ସରହ୍ରଦ ସେ ଡେଇଁ ପାରେ ।
ମୋକ୍ଷାସନ ପାଇଁ ହୋଇଥାଏ ଯୋଗ୍ୟ
ହୃଦୟେ ଭକତି ସମର୍ପଣରେ
ରୋଗ ଦୁଃଖ ଶୋକ ସବୁ କରି ପାର
ମିଶି ଯାଇଥାଏ ବିଭୁସାଗରେ ।
ସେଥିପାଇଁ ଆମେ ଜଗାଇ ଚେତନା
କେଉଁ ପକ୍ଷୀଟିକୁ ଦେବା ଆଶ୍ରୟ
ଚୟନ କରିବା ବୋଧକୁ ପଚାରି
ଯେପରି ନୂତନ ସୂରୁଜୋଦୟ ।।
