STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶ୍ରୀମଦ୍ଭଗବତ ଗୀତାରେ ଭଗବାନଙ୍କ ବିଭୂତି ବର୍ଣ୍ଣନ

ଶ୍ରୀମଦ୍ଭଗବତ ଗୀତାରେ ଭଗବାନଙ୍କ ବିଭୂତି ବର୍ଣ୍ଣନ

5 mins
3

       ଶ୍ରୀମଦ୍ଭଗବତ ଗୀତାରେ
      ଭଗବାନଙ୍କ ବିଭୂତି ବର୍ଣ୍ଣନ
      ==============
ବିଭୂତି ଯୋଗେ ଭଗବାନ l
          କହନ୍ତି ଶୁଣ ତୁ ଅର୍ଜୁନ ll
ତୁ ଯେଣୁ ପଚାରିଲୁ ମୋତେ l
     ବୁଝାଇ କହୁଛି ମୁଁ ତୋତେ ll
ମୁଁ ସର୍ଵ ଆତ୍ମା ସର୍ବ ଗୁଣ l
         ମୁଁ ଆଦି ଅନ୍ତ ମଧ୍ୟ ପୁଣ ll
ଦ୍ୱାଦଶାଦିତ୍ୟ ମଧ୍ୟେ ମୁହିଁ l
           ଅଦିତି ପୁତ୍ର ବିଷ୍ଣୁ କହି ll
ଜ୍ୟୋତିଷ୍କ ମଧ୍ୟେ ଦିବାକର l
      ପ୍ରକାଶେ ନାଶେ ଅନ୍ଧକାର ll
ମରୁତ ମଧ୍ୟେ ମୁଁ ମରୀଚି l
          ନକ୍ଷତ୍ର ମଧ୍ୟେ ମୁହିଁ ଶଶି ll
ବେଦଙ୍କ ମଧ୍ୟେ ସାମ ଜାଣ l
         ବାସବ ଦେବରାଜ ପୁଣ ll
ଇନ୍ଦ୍ରିୟ ମଧ୍ୟେ ମୁହିଁ ମନ l
       ଗତି ମୋ ବିଦ୍ୟୁତ ସମାନ ll
ଚେତନ ଶକ୍ତି ରୂପେ ମୁହିଁ l
        ପ୍ରାଣୀଙ୍କ ମଧ୍ୟରେ ବସଇ ll
ରୁଦ୍ରଙ୍କ ମଧ୍ୟେ ମୁଁ ଶଙ୍କର l
        ଯକ୍ଷଙ୍କ ମଧ୍ୟରେ କୁବେର ll
ଅଷ୍ଟ ବସୁଙ୍କ ମଧ୍ୟେ ମୁହିଁ l
        ପାବକ ଅଗ୍ନିକୁ ବୋଲାଇ ll
ପର୍ବତ ମଧ୍ୟେ ମୁହିଁ ମେରୁ l
            ଅଚଳାଚଳ ମହାଗରୁ ll
ପୁରୋହିତଙ୍କ ମଧ୍ୟେ ପୁଣ l
             ବୃହସ୍ପତି ମୁଁ ଅରଜୁନ ll
ସେନାନୀ ମଧ୍ୟେ ସ୍କନ୍ଦ ବୀର l
         ସରସୀ ମଧ୍ୟେ ମୁଁ ସାଗର ll
ମହର୍ଷି ମଧ୍ୟେ ଭୃଗୁ ମୁହିଁ l
          ଧ୍ୱନୀରେ ଓଁକାର ଅଟଇ ll
ଯଜ୍ଞରେ ଜପ ମନ୍ତ୍ର ଚୟ l
          ସ୍ଥାବର ମଧ୍ୟେ ହିମାଳୟ ll
ବୃକ୍ଷଙ୍କ ମଧ୍ୟେ ମୁଁ ଅଶ୍ୱତ୍ଥ l
            ଗନ୍ଧର୍ବ ଗଣେ ଚିତ୍ରରଥ ll
ଦେବର୍ଷି ମଧ୍ୟେ ମୁଁ ନାରଦ l
           ସିଦ୍ଧେ ମୁଁ କପିଳ ପ୍ରସିଦ୍ଧ ll
ଅଶ୍ବଙ୍କ ମଧ୍ୟେ ଉଚ୍ଚୈଶ୍ରବ l
             ସାଗର ମନ୍ଥନୁ ଉଦ୍ଭବ ll
ଐରାବତ ମୁଁ ଗଜେ ଜାଣ l
          ନରଙ୍କ ମଧ୍ୟେ ମୁଁ ରାଜନ ll
ଆୟୁଧେ ଵଜ୍ର ମୁଁ ଅଟଇ l
        ଗାଭୀରେ କାମଧେନୁ ମୁହିଁ ll
କନ୍ଦର୍ପ ମୁହିଁ ପ୍ରଜନନେ l
         ପ୍ରାଣୀଙ୍କ ବୃଦ୍ଧିର କାରଣେ ll
ସର୍ପଙ୍କ ମଧ୍ୟେ ମୁଁ ବାସୁକୀ l
         ଧରଣୀ ଶିରେ ଅଛି ଟେକି ll
ଅନନ୍ତ ନାଗ ମଧ୍ୟେ ଜାଣ l
               ଜଳଧିପତି ମୁହିଁ ପୁଣ ll
ଜଳଚରଙ୍କ ରାଜା ମୁହିଁ l
          ବରୁଣ ନାମକୁ ବୋଲାଇ ll
ଅର୍ଯ୍ୟମା ମୁହିଁ ପିତୃ ଖ୍ୟାତ l
          ପିତର ପିତୃଲୋକେ ଗତ ll
ନ୍ୟାୟଦଣ୍ଡିଙ୍କ ମଧ୍ୟେ ଜାଣ l
             ଯମ ମୁଁ ଧରମ ରାଜନ ll
ଦୈତ୍ୟଙ୍କ ମଧ୍ୟେ ମୁଁ ପ୍ରହ୍ଲାଦ l
            କଳିତ କାଳ ମୁଁ ପ୍ରମାଦ ll
ମୋହର ବଶ ଏ ଜଗତ l
           ମୁଁ ଅଟେ ଅସୀମ ଅନନ୍ତ ll
ଖଗେ ମୁଁ ଖଗପତି ଜାଣ l
              ଗରୁଡ଼ ବିନତା ନନ୍ଦନ ll
ପଶୁଙ୍କ ମଧ୍ୟେ ରାଜା ମୁହିଁ l
      ମୄଗେନ୍ଦ୍ର କେଶରୀ ବୋଲାଇ ll
ପବିତ୍ର ଗନ୍ଧବହେ ମୁହିଁ l
            ବାୟୁ ନାମକୁ ଅଛି ବହି ll
ଶସ୍ତ୍ରଧାରୀଙ୍କ ମଧ୍ୟେ ଜାଣ l
          ମୁଁ ଅଟେ ବୀର ପର୍ଶୁରାମ ll
ଝଷଙ୍କ ମଧ୍ୟେ ମୁଁ ମକର l
      ଲୋକରେ ବୋଲାଏ କୁମ୍ଭୀର ll ସ୍ରୋତସ୍ୱିନୀଙ୍କ ମଧ୍ୟେ ମୁହିଁ l
          ପବିତ୍ର ଜାହ୍ନବୀ ବୋଲାଇ ll
ସୃଷ୍ଟିର ଆଦି ମଧ୍ୟ ଅନ୍ତ l
        ମୋତେ ତୁ ଜାଣିଥାଅ ପାର୍ଥ ll
ବିଦ୍ୟାଙ୍କ ମଧ୍ୟେ ମୁଁ ବିଜ୍ଞାନ l
           ଆଧ୍ୟାତ୍ମ ବ୍ରହ୍ମବିଦ୍ୟା ଜାଣ ll
ତର୍କଙ୍କ ମଧ୍ୟେ ମୁଁ ସିଦ୍ଧାନ୍ତ l
           ବାଦ ଓ ଵିଵାଦଙ୍କ ଅନ୍ତଃ ll
ଅକ୍ଷର ମଧ୍ୟେ ମୁଁ 'ଅ' କାର l
             ଆଦ୍ୟ ଅକ୍ଷର ଧନୁର୍ଦ୍ଧର ll
ବ୍ୟାକରଣରେ ମୁଁ ପ୍ରସିଦ୍ଧ l
          ସମାସ ମଧ୍ୟେ ଅଟେ ଦ୍ୱନ୍ଦ୍ୱ ll
ମୁଁ କାଳ ଅକ୍ଷୟ ଅନନ୍ତ l
            ମୁଁ ଧାତା ବ୍ରହ୍ମା ଚତୁର୍ମୁଖ ll
ମୁଁ ଅଟେ ମୃତ୍ୟୁ ସର୍ବଗ୍ରାସୀ l
        ମୋ ଗର୍ଭେ ନିଏ ସର୍ବ ନାଶି ll
ମୁହିଁ ଅଟଇ ଭବିଷ୍ୟତ l
           ଉତ୍ପତ୍ତି ହେତୁ ଜାଣ ପାର୍ଥ ll
ନାରୀଙ୍କ ମଧ୍ୟେ ଶ୍ରୀ, ସ୍ମୃତି l
         ବାକ୍ ମୁଁ ମେଧା କ୍ଷମା ଧୃତି ll
ସାମବେଦଙ୍କ ସ୍ତୋତ୍ର ସାର l
          ବୃହତ୍‌ ସାମ ନାମ ମୋର ll
ଛନ୍ଦ ମାନଙ୍କ ଶ୍ରେଷ୍ଠ ମୁହିଁ l
            ଗାୟତ୍ରୀଛନ୍ଦ ଜାଣ ତୁହି ll
ମାସଙ୍କ ମଧ୍ୟେ ମାର୍ଗଶୀର୍ଷ l
               ବସନ୍ତ ୠତୁ ମଧୁମାସ ll
ଛଳ କପଟ ମଧ୍ୟେ ଥାଇ l
            ଅର୍ଜୁନ ଦ୍ୟୁତକ୍ରୀଡ଼ା ମୁହିଁ ll
ତେଜସ୍ବୀଙ୍କର ମୁହିଁ ତେଜ l
          ଏକଥା ତୁହି ମନେ ହେଜ ll
ବିଜୟୀ ମାନଙ୍କ ବିଜୟ l
           ନିଶ୍ଚୟୀ ଜନେ ମୁଁ ନିଶ୍ଚୟ ll
ସାତ୍ତ୍ଵିକ ପୁରୁଷଙ୍କ ମୁହିଁ l
             ସାତ୍ତ୍ଵିକ ଭାବକୁ ବୁଝାଇ ll
ଵୃଷ୍ଣିବଂଶଯେ ବାସୁଦେବ l
            ମୁଁ କୃଷ୍ଣ କେଶବ ମାଧବ ll
ପାଣ୍ଡବେ ମୁହିଁ ଧନଞ୍ଜୟ l
             ଅର୍ଜୁନ ଜାଣ ତୁ ନିଶ୍ଚୟ ll
ମୁନୀଙ୍କ ମଧ୍ୟେ ବେଦବ୍ୟାସ l
          ମୁଁ ଅଟେ ଜାଣ ପ୍ରିୟଶିଷ୍ୟ ll
କବିଙ୍କ ମଧ୍ୟେ ଶୁକ୍ରାଚାର୍ଯ୍ୟ l
            ବିଦ୍ୱାନ ବିଶାରଦ ଆର୍ଯ୍ୟ ll
ଦମନେ ମୁହିଁ ଅଟେ ଦଣ୍ଡ l
             ଦୁର୍ଜନ ବଶେ ମୁଁ ପ୍ରଚଣ୍ଡ ll
ବିଜୟ ଆଶି ନୀତି ମୁହିଁ l
         ବିଜୟାକାଂକ୍ଷୀ ହୃଦେ ଥାଇ ll
ଗୁହ୍ୟ ବିଷୟେ ମୁହିଁ ମୌନ l
          ମୁଁ ଅଟେ ଜ୍ଞାନୀଙ୍କର ଜ୍ଞାନ ll
ମୁଁହିଁ ଅର୍ଜୁନ ସର୍ବ ଭୁତେ l
        ବୀଜ ବୋଲାଇ ଉପଜାର୍ଥେ ll
ଏ ଚରାଚର ପ୍ରାଣୀ ଗଣ l
          ମୋ ବିନା ଅସମ୍ଭବ ଜାଣ ll
ନାହିଁ ହେ ପରନ୍ତପ ପାର୍ଥ l
          ମୋ ଦିବ୍ୟ ବିଭୁତିର ଅନ୍ତ ll
କହିଲି ଯାହା ଧନଞ୍ଜୟ l
             ନମୁନା ମାତ୍ର କତିପୟ ll
ଦିବ୍ୟ ବିଭୁତିମାନ ମୋର l
             ଗହନ ଅତୀବ ବିସ୍ତାର ll
ଜଗତେ ଦେଖୁ ଯା ସୁନ୍ଦର l
          ଐଶ୍ୱର୍ଯ୍ୟମୟ ମନୋହର ll
ଜାଣ ତୁ ଏହା ଅରଜୁନ l
      ମୋ ତେଜୁ ହୋଇଛି ସର୍ଜନ ll
ବିସ୍ତୃତେ ଏତେ ସବୁ ଜ୍ଞାନ l
         କି ଅବା ଥାଇ ପ୍ରୟୋଜନ ll
ସମ୍ୟକେ ଜାଣ ତୁହି ପାର୍ଥ l
        ଏ ମୋ ବିଭୁତି ଅଂଶ ମାତ୍ର ll
ସେ ଅଂଶ ସଂସାର ବ୍ୟାପୃତ l
               ଜଗତ ରହିଅଛି ସ୍ଥିତ ll
ଏମନ୍ତ କହି ବାସୁଦେବ l
      ଅର୍ଜୁନେ ଦେଲେ ଜ୍ଞାନ ଦିବ୍ୟ ll
     ସେ ବାସୁଦେବ ପଦ୍ମପାଦେ l
     ଚିତ୍ତ ମୋ ରହୁ ଅପ୍ରମାଦେ ll
               🙏🙏🙏
                   ଅର୍ଜୁନୀ
              -----------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971


Rate this content
Log in

Similar oriya poem from Inspirational