ଚାଲ ଚାଲ ଭାଇ ଚିଲିକାକୁ ଯିବା
ଚାଲ ଚାଲ ଭାଇ ଚିଲିକାକୁ ଯିବା
ଚାଲ ଚାଲ ଭାଇ ଚିଲିକାକୁ ଯିବା
==============
ଚାଲ ଚାଲ ଭାଇ ଚିଲିକାକୁ ଯିବା ।
ଅପରୂପ ଶିରି ନୟନେ ଦେଖିବା ।।
ଉତ୍କଳ ଭୁବନେ ଶୋଭାର ଭଣ୍ଡାର ।
ବର୍ଣ୍ଣିଥିଲେ ପରା ଆମ କବିବର ।।
ମାଣିକ ପାଟଣା ବିରାଜିତ କୂଳେ ।
ଦହିପିଇ ପ୍ରଭୁ କାଞ୍ଚିଯୁଦ୍ଧେ ଗଲେ ।।
ଟାପୁ ଅଛି ପୁଣି କାଙ୍କଣ ଶିଖରୀ ।
ଯହିଁ ଭୁଞ୍ଜିଥିଲେ କଣ୍ଟାଫଳ ହରି ।।
ମାଆ କାଳିଜାଈ ଚିଲିକା ମଝିରେ ।
ବନ୍ଦନା କରିବା ତାଙ୍କ ଶ୍ରୀପୟରେ ।।
ଅତି ମନୋରମ ଏବେ ଶୀତକାଳ ।
ଲାଗିଲାଣି ଭାରି ପକ୍ଷୀଙ୍କ ଗହଳ ।।
ବହୁ ଦେଶୁ ଆସି ନଭଚାରୀ ମାନେ।
ପହଞ୍ଚିଗଲେଣି ରମ୍ୟ ନଳବଣେ ।।
କାହିଁ କାଷ୍ପିଆନ ପୁଣି ସୈବେରିଆ ।
ଆସିଛନ୍ତି ଉଡ଼ି ବଗ ଗେଣ୍ଡାଳିଆ ।।
ହିମାଳୟ ଶିଖେ ମାନସରୋବର।
ଆସିଛନ୍ତି ହଂସ ହଂସୁଲି ନିକର ।।
ଲକ୍ଷ ଲକ୍ଷ କୋଶ ଆସିଛନ୍ତି ଉଡ଼ି।
ଚାଲିଯିବେ ପୁଣି ଶୀତ ଗଲେ ଛାଡ଼ି।।
ପକ୍ଷ ଝାଡ଼ି ଉଡ଼େ ମାଛରଙ୍କା ପକ୍ଷୀ ।
ମୀନଧରେ ଜଳେ ବୁଡ଼ି ଲକ୍ଷ୍ୟ ରଖି ।।
ଠାବେ ଠାବେ ପାଣିକୁଆ ଗଣ ବସି।
ପକ୍ଷ ମାଜୁଛନ୍ତି ଥଣ୍ଟେ ଘଷି ଘଷି ।।
ଶଲିରି ଟେଣ୍ଟେଇ ଲାଞ୍ଜହଲା ପକ୍ଷୀ।
ବଗୁଲା ବାବାଜୀ ବୁଜିଛନ୍ତି ଆଖି ।।
ଗଲାଣି ତ ଗଲା କଥାରେ ସଙ୍ଗାତ।
ନାଉରୀ ଭାଇଙ୍କ ଉଦ୍ଦାମ ସଙ୍ଗୀତ।।
ଯାଗା ଯାଗା ପୁଣି ହୋଇଛି ନିର୍ମାଣ।
ପକ୍ଷୀ ଦରଶନ ସୁଉଚ୍ଚ ତୋରଣ।।
ମରାଳ ମାଳିନୀ ନୀଳାମ୍ବୁ ଚିଲିକା।
ଭାସୁଅଛି ବକ୍ଷେ ସହସ୍ର ନଉକା ।।
ଚିଲିକାର ଗାଥା କେତେ ମୁଁ କହିବି।
ବେଳନାହିଁ ଆଉ ଆଜି ବୁଲିଯିବି।।
କାଳ ଆବର୍ତ୍ତନେ ଶୀତ ସରିଯିବ।
ଚିଲିକାର ଶିରି ଗ୍ରୀଷ୍ମେ ନରହିବ।।
🙏🙏🙏
ଅର୍ଜୁନୀ
------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
