ଶ୍ରୀଜାନକୀ ଶରଣମ୍
ଶ୍ରୀଜାନକୀ ଶରଣମ୍
ଶ୍ରୀଜାନକୀ ଶରଣମ୍
============
ଧନ୍ୟ ଧନ୍ୟ ମାତା ଜନକ ଦୁହିତା l
ଶ୍ରୀରାମବଲ୍ଳଭୀ ପତିବ୍ରତା ସୀତା ll
ଜୟ ମା ପାର୍ଥିବି ପୃଥିବୀ କୁମାରୀ l
ସର୍ବସଂହା ମାତା ଧରିତ୍ରୀଙ୍କ ପରି ll
ଅଯୋଧ୍ୟାନବର ସୁଖସବୁ ତ୍ୟାଗୀ l
ବନବାସେ ହେଲ ପତିଅନୁରାଗୀ ll
ବନ ବାସ ଦୁଃଖ ମଣି ମହା ସୁଖ l
ବନେ ବାସକଲ ଚାହିଁ ପତି ମୁଖ ll
ସୁଖରେ ତ ପୁଣି ନହେଲ ଭାଜନ l
ହରି ନେଲା ଆସି ଦୁଷ୍ଟ ଦଶାନନ ll
ରାବଣପୁରୀରେ ବନ୍ଦିହେଲ ଯାଇ l
ରାକ୍ଷସୀ ଗହଣେ ଦିନ କଟୁଥାଇ ll
ସନ୍ଧାନ ଆଣିଲେ, ବୀର ହନୁମାନ l
ଲଙ୍କାରେ ଲାଗିଲା ଭୟଙ୍କର ରଣ ll
ସବଂଶେ ପାପୀଷ୍ଠ ରାବଣ ମରିଲା l
ସ୍ଵର୍ଣ୍ଣଲଙ୍କା ଜଳି ଭସ୍ମ ସ୍ତୁପ ହେଲା ll
ସତୀତ୍ଵ ଗାରିମା, ଅଟଇ, ତେମନ୍ତ l
ଅଗ୍ନିପରୀକ୍ଷାରେ ହେଲା ପ୍ରମାଣିତ ll
ଅଯୋଧ୍ୟା ଆସିଲ, ରଘୁକୁଳ ରାଣୀ l
ଜନରବେ, ବନବାସ ହେଲା ପୁଣି ll
ବାଲ୍ମିକୀ ଆଶ୍ରମେ ହେଲ ତପସ୍ଵିନୀ l
ଜନମିଲେ ପୁତ୍ର ଲବ, କୁଶ ବେନି ll
ଲବ କୁଶ ବେନି ବାଲ୍ମିକୀଙ୍କ ଶିଷ୍ୟ l
ପ୍ରବୀଣହୋଇଲେ ପାଇଣ ଆଶିଷ ll
ଅଶ୍ୱମେଧ ଯାଗ, ଶ୍ରୀରାମ କରିଲେ l
ପୁତ୍ରେ ଯଜ୍ଞ ଅଶ୍ଵ ବାନ୍ଧି ପକାଇଲେ ll
ଯଜ୍ଞେ ହେଲା ପୁଣି ପିତାପୁତ୍ର ଭେଟ l
ପୁନଃ ଆସି ଗଲା ଜୀବନେ ସଙ୍କଟ ll
ସତୀତ୍ଵ ପରୀକ୍ଷା ଦେବାପାଇଁ ହେବ l
ଏତେ ଦୁଃଖ କିବା, ଧରିତ୍ରୀ ସହିବ ll
ଅତିଦୁଃଖେ ହେଲା ଧରିତ୍ରୀ ବିଦୀର୍ଣ୍ଣ l
କୋଳେ ବସି କଲ ପାତାଳ ଗମନ ll
ଯୁଗେ ଯୁଗେ ମାତା ରହିଗଲା କଥା l
ସର୍ଵସଂହା, ସୀତା, ପୃଥିବୀର ସୂତା ll
ସତୀ ଶିରୋମଣୀ ବିଦେହ ତନୁଜା l
ଯୁଗେଯୁଗେ ମାତା ପାଉଥିବ ପୂଜା ll
ତୁମ୍ଭ କଥା, କେତେ, ବର୍ଣ୍ଣିବ ଅଜ୍ଞାନ l
ଜାନକୀଙ୍କ ପଦେ ମୋହର ଶରଣ ll
🙏🙏🙏
ଅର୍ଜୁନୀ
----------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
