ଶ୍ରୀ କ୍ଷେତ୍ରେ ଜଗନ୍ନାଥ
ଶ୍ରୀ କ୍ଷେତ୍ରେ ଜଗନ୍ନାଥ
ଜଗନ୍ନାଥ ପରା ବଡ଼ ଠାକୁର ସେ
ଶ୍ରୀକ୍ଷେତ୍ର ମଉଡମଣି,
ରତ୍ନସିଂହାସନ ରାଜାରାଜେଶ୍ଵର
ରଙ୍ଗାଧର ବେଣୁପାଣୀ।
ଦେଉଳ ତା ବଡ଼, ଦାଣ୍ଡ ମଧ୍ୟ ବଡ଼
ବଡ଼ ବି ତାର ପ୍ରାଚେରୀ,
ପଣ୍ଡା ତାର ବଡ଼ ଭୋଗ ତାର ବଡ଼
ବଡ଼ ବେଶ ଶୋଭା ଶିରୀ।
ମହୋଦଧି ତୀରେ ଶ୍ରୀନୀଳକନ୍ଦରେ
ବିଜେ ପ୍ରଭୁ ଚକ୍ରପାଣି,
କୋଟିକମଜିଣି ରୂପେ ଅନୁପମ
ଡୋରୀରେ ନେଉଛି ଟାଣି।
ଟିକିଏ କରୁଣା ପାଇବାର ପାଇଁ
ଭଜୁ ଥାନ୍ତି ସବୁ ଗୁଣୀ,
ତା'ରଙ୍ଗା ଅଧର ମଧୁ ଝର ଝର
ସୁନ୍ଦର ବାଙ୍କ ଚାହାଣୀ।
ବଡ଼ ଦେଉଳର ବଡ଼ ଠାକୁର ତ
ସେ' ନିଳାଦ୍ରୀ ନୀଳମଣି,
ବେଶ ରସିକିଆ ଭାବ ବିନୋଦିଆ
ବୁହାଏ ଭାବ ଉଜାଣୀ।
ତାହାର ପ୍ରେମରେ ଥରେ ପଡିଗଲେ
ମନକୁ ନିଏ ସେ କିଣି,
ତାର ଦୟା ହେଲେ ସହଜେ ସରଳେ
ଚାଲେ ସଂସାର ତରଣୀ।
ଇଚ୍ଛାମୟ ସିଏ ଇଚ୍ଛା ନ କରିଲେ
ହେଲେ ନାହିଁ ପତ୍ର ପୁଣି,
ତା ପାଇଁ ସୁନ୍ଦର ନୀଳାଚଳ ଧାମ
ସୁନ୍ଦର ଟଙ୍କ ତୋରାଣି।
ରଥଯାତ୍ରା ବେଳେ ଭକ୍ତ ଆନନ୍ଦରେ
ରଥକୁ ନିଅନ୍ତି ଟାଣି,
ଦାରୁବ୍ରହ୍ମ ସିଏ ପରଂବ୍ରହ୍ମ ସିଏ
ଲୀଳା ହେବନି ବଖାଣି।
ଶ୍ରୀଜଗନ୍ନାଥ ସିଏ ରଥାଙ୍ଗପାଣି
ଦିନ ନାଥ ଦିନମଣି,
ଅଧାଗଢ଼ା ଦିଅ ନିଜର ଇଚ୍ଛାରେ
ଭକ୍ତକୁ ଦିଏ ନିଶୁଣୀ।।
