ଶରଧାବାଲି
ଶରଧାବାଲି
ପରଂବ୍ରହ୍ମ ତୁମେ
ଦାରୁବ୍ରହ୍ମ ହୋଇ
ବାଲିକି ଶରଧା କର
ସେ ବାଲିକି ଥରେ
ଯିଏ କୋଳି ହୁଏ
ତୁମେ ହୋଇ ଯାଅ ତାର ।
ଦାସ ବଳରାମ ଅତି ଶରଧାରେ
ବାଲିରେ ଗଡିଲା ରଥ
ସେ ବାଲି ରଥରେ
ବିଜେ କରି ପ୍ରଭୁ
ରଖିଲ ତାର ମହତ ।
ନନ୍ଦିଘୋଷ ତୁମ ଚଡ଼ୁଥାଏ ରହିରହି
ଆକାଶୁ ପାତାଳ ଧୂଳିର ଘଟଳ
ଘେରିଥାଏ ଛାଇ ହୋଇ ।
ସେ ବାଲି କୋଳରେ
ବାହୁଡା ବିଜୟ ବେଳେ
ଲୋଟୁଥାଅ ପ୍ରଭୁ କେଡେ ଶରଧାରେ
ଅଗଣିତ ଭକ୍ତ ମେଳେ
ସତେକି କହ୍ନେଇ ବାଳ ସଖା ନେଇ
ଗୋପଦାଣ୍ଡେ ଧୂଳିଖେଳେ |
ଧୂଳିବେଶ ତୁମ ଦରଶନ କରି
ପାପୀ ତାପି ଯାନ୍ତି ତରି
ତୁମେ ବାହୁଡିଲେ
ସେ ଶରଧା ବାଲି
କାଳେ କାଳେ ଗୁମୁରି ଗୁମୁରି ।
ତୁମ ବିନା ଆଉ କିଏ ବା ବୁଝିବ
ତା ଅନ୍ତର ବେଦନା ଯେତେକ
ସବୁ ଦୁଃଖ ସହି
ଆର ଆଷାଢ଼କୁ
ଚାତକ ପରାଏ
ଶରଧାରେ ଚାହିଁଥାଏ ।