ଶ୍ରଦ୍ଧାରେ ସାଉଁଟେ ଶରଧାବାଲି
ଶ୍ରଦ୍ଧାରେ ସାଉଁଟେ ଶରଧାବାଲି
କାଳିଆ ନାଆଁକୁ ଗାଉଥିଲି
କାଳିଆ ପାଖକୁ ଯାଉଥିଲି
ବଡଦାଣ୍ଡେ ଯାଇ ପାଦଦେଲି
କି କଲି କି କଲି ବୋଲି ମୁଁ ଭାବିଲି
ମୁଣ୍ଡରେ ସେ ଧୂଳି ବୋଳିହେଲି ।
ମାଳିନୀ ନଈକୁ ଖୋଜୁଥିଲି
ସେ ନଈକୁ ନେତ୍ରେ ନ ଦେଖିଲି
ରାଣୀ ଶ୍ରଦ୍ଧାଦେବୀ ନଈ ପୋତାଇଲେ
ତିନି ରଥ ଗଡିଯିବ ବୋଲି ।
ନାଆଁ ଥିଲା ଶ୍ରଦ୍ଧା ବାଲି ବୋଲି
ପାଶରେ ଯାଇ ମୁଁ ପହଞ୍ଚିଲି
ଶ୍ରଦ୍ଧାରେ ସାଉଁଟେ ଶରଧାବାଲି ମୁଁ
କାଳିଆ ପରଶ ଖୋଜୁଥିଲି ।
ନନ୍ଦିଘୋଷ ଦିନେ ଟାଣିଥିଲି
କଳା ଶ୍ରୀ ମୁଖକୁ ଦେଖିଥିଲି
ଶରଧାବାଲିରେ ଗଡୁଥିଲା ରଥ
ହସୁଥିଲେ ପ୍ରଭୁ ଖିଲି ଖିଲି ।
ସେଇ ସ୍ମୃତିକୁ ମୁଁ ଖୋଜୁଥିଲି
ମଥାରେ ସେ ବାଲି ବୋଳି ହେଲି
ଚକାନୟନ ମୋ ଆଖିରେ ନାଚିଲା
ଲୁହରେ ଭିଜିଲା ମୁହଁ ଖାଲି ।
ଅସୁମାରୀ ଭାବେ ବୁୁଡିିଗଲି
କାଳିଆ କଥା ମୁଁ ହେଜି ହେଲି
ଲାଗିଲେ ତା' ଡୋର ପାଖକୁ ନଆସି
ଦୂରେ କେ ରହିବ କହ ଖୋଲି ।
ଇଏ ପରା ଅଟେ ସେଇ ବାଲି
କାଳିଆର ଲୀଳା ହୁଏ ଖାଲି
ଏ ଶରଧାବାଲି ଶ୍ରଦ୍ଧାର ପ୍ରତୀକ
ଭକତେ ହୁଅନ୍ତି ମୁଣ୍ଡେ ବୋଳି ।
